ସିବିଏସଇ ଦ୍ୱାଦଶ ଫଳ : ୫୦୦ରୁ ୫୦୦ ମାର୍କ ରଖିଲେ ତାନ୍ୟା ସିଂହ ଟପ୍ପର
ନୂଆଦିଲ୍ଲୀ : ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ମୋଟ୍ ପାସ୍ ହାର ୯୨.୭୧% ରହିଛି । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଛାତ୍ରୀମାନେ ବାଜି ମାରିଛନ୍ତି । ମୋଟ୍ ୯୪.୫୪% ଛାତ୍ରୀ ପାସ୍ କରିଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି । ଏଥିରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଉତର ପ୍ରଦେଶର ବୁଲନ୍ଦସହର ନିବାସସୀ ତାନ୍ୟା ସିଂହ । ସେ ୫୦୦ ରୁ ୫୦୦ ମାର୍କ ରଖିଛନ୍ତି ।
ତାନ୍ୟା ସିଂହ ବୁଲନ୍ଦସହରର ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ)ର ଛାତ୍ରୀ । ପରୀକ୍ଷା ପରିଣାମ ଘୋଷଣା ପରେ ଡିପିଏସର ଉତ୍ସବ ମାହୋଲ ରହିଛି । ସିବିଏସଇ ଦ୍ୱାଦଶରେ ଟପ୍ପର ହୋଇଥିବା ତାନ୍ୟା ସିଂହ କହିଛନ୍ତି, ମୁଁ ବୁଲନ୍ଦସହରର ଡିପିଏସର ଛାତ୍ରୀ ଏବଂ ମୋତେ ୫୦୦ରୁ ୫୦୦ ମାର୍କ ମିଳିଛି । ଏହା ମୋ ପାଇଁ ବହୁତ ବଡ ଗର୍ବର ବିଷୟ । ମୁଁ ସର୍ବଭାରତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛି । ଡିପିଏସର ଆଉ ଜଣେ ଛାତ୍ରୀ ଭୂମିକା ଗୁପ୍ତାଙ୍କୁ ୫୦୦ରୁ ୪୯୯ ନମ୍ବର ମିଳିଛି । ସେହି ସ୍କୁଲର ଛାତ୍ରୀ ସୌମ୍ୟା ନାମଦେବ ୫୦୦ରୁ ୪୯୭ ମାର୍କ ରଖିଛନ୍ତି । ନିଜ ସଫଳତାକୁ ନେଇ ତାନ୍ୟା ସିଂହ, ଭୂମିକା ଗୁପ୍ତା ଏବଂ ସୌମ୍ୟା ନାମଦେବ ବହୁତ ଖୁସି ପ୍ରକାଶ କରିଛନ୍ତି । ବୁଲନ୍ଦସହରର ଡିପିଏସରୁ ପ୍ରାୟ ୨୫୦ ପିଲାଙ୍କ ମଧ୍ୟରୁ ୧୨ ଜଣ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ । ସ୍କୁଲର ୧୦୦ ପ୍ରତିଶତ ଛାତ୍ର-ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ସ୍କୁଲ ପ୍ରିନ୍ସିପାଲ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ, ଆମର ସମସ୍ତ ପିଲା ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଆମ ସ୍କୁଲର ଛାତ୍ରୀ ସର୍ବଭାରତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସିବିଏସଇର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫଳାଫଳରେ ଛାତ୍ରୀମାନେ ବାଜି ମାରିଛନ୍ତି । ଦ୍ୱାଦଶ ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି । ଜବାହାର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ ରହିଛି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ରେଜଲ୍ଟ ୯୭.୦୪ ପ୍ରତିଶତ ରହିଛି ।