କାଷ୍ଟିଂ କାଉଚ୍ ମାମଲା : ପପୁ ପମପମଙ୍କୁ କ୍ଲିନଚିଟ୍
ସତ୍ୟର ଜୟ ହେଲା : ପପୁ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା । ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି କମେଡି କିଙ୍ଗ ପପୁ ପମପମଙ୍କୁ ମିଳିଲା କ୍ଲିନଚିଟ୍ । ଭୁବନେଶ୍ୱରର ଜନୈକା ନାବାଳିକା ଆଣିଥିବା କାଷ୍ଟିଂ କାଉଚ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍ପପମ୍ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ନିର୍ଦ୍ଦୋଷ ପରେ ପପୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ସତ୍ୟର ଜୟ ହେଲା । ଅଭିଯୋଗ ପରେ ଯାହା ହେବା କଥା ହୋଇଥିଲା । ଛୋଟ କଥାକୁ ବଡ କରି ଦେଖାଗଲା । ଏପରିକି ଅଭିଯୋଗ ପରେ ମୁଁ ୪୩ ଦିନ ଜେଲରେ ରହିଲି । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ନାବାଳିକା ମୋ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଆଗଲା । ଏବେ ସେଇ ସବୁ କଥା ନାବାଳିକା କହିଛନ୍ତି । ସଫଳତା ପରେ ଅନେକ ଶତ୍ରୁ ସୃଷ୍ଟି ହୁଅନ୍ତି । ତେଣୁ କିଏ ଏହା ପଛରେ ଅଛି ତାହାର ତଦନ୍ତ ହେବା ଆବଶ୍ୟକ । ଆଗାମୀ ୫, ୭ ଦିନ ଭିତରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସ୍ଥିର କରିବି ।
ସୂଚନା ଯେ, ୨୦୧୬ରେ ପପୁଙ୍କ ନାଁରେ ନାବାଳିକା ଅଭିଯୋଗ ଆଣିଥିଲେ । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ ଅଭିଯୋଗ କରିଥିଲେ । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ପପୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ୬ମାସ ତଳେ ନାବାଳିକା କରିଥିବା ଅଭିଯୋଗକୁ ନିଜେ ଖଣ୍ଡନ କରିଥିଲେ ।