ବୃଦ୍ଧି ପାଉଛି ଫୁଲକୋବି, ବନ୍ଧାକୋବି ଓ ଓଲକୋବି ଚାଷ
ଆମ ରାଜ୍ୟରେ ଫୁଲକୋବି, ବନ୍ଧାକୋବି ଓ ଓଲକୋବି ଚାଷ ହୋଇଥାଏ । ଫୁଲକୋବିରୁ ବହୁତ ଲାଭ ମିଳୁଥିବାରୁ ଆଜି କାଲି ଏହି ଫସଲର ଚାଷ ବ୍ୟାପକ ଭାବରେ କରାଯାଉଅଛି । ସେହିପରି ବନ୍ଧାକୋବି ଓ ଓଲକୋବିର ଚାଷ ମଧ୍ୟ କ୍ରମେ ବୃଦ୍ଧି ପାଉଅଛି । କୋବି ଜାତୀୟ ଫସଲ ସାଧାରଣତଃ ଶୀତଦିନେ କରାଯାଉଥିବାରୁ ବର୍ଷା ଦ୍ଵାରା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ହୁଏ ।
ଆମେ ଏହି ଅଧ୍ୟାୟରେ ମୁଖ୍ୟତଃ ଫୁଲକୋବି, ବନ୍ଧାକୋବି, ଓଲକୋବି ବିଷୟରେ ଆଲୋଚନା କରିବା ।
ଫୁଲକୋବି :
ଫୁଲକୋବି ପ୍ରଥମେ ୟୁରୋପ ମହାଦେଶର ଇଂଲଣ୍ଡ ଓ ଡେନ୍ମାର୍କ ପ୍ରଭୃତି ଅଞ୍ଚଳରେ ଚାଷ ହେଉଥିଲା ବୋଲି ବିଶ୍ଵାସ କରାଯାଏ । ସେଠାରୁ ଏହା ଆମ ଦେଶକୁ ଆସିଥିଲା ।
ଆମ ଦେଶରେ ଖରାଦିନେ ଏହା ହିମାଚଳ ପ୍ରଦେଶ ଓ ନିଳଗିରି ପାହାଡିଆ ଅଞ୍ଚଳରେ ଚାଷ ହୋଇଥାଏ, କିନ୍ତୁ ଶୀତଦିନେ ଦେଶର ପ୍ରାୟ ସବୁ ଅଞ୍ଚଳରେ ଚାଷ ହୁଏ । ମୋଗଲମାନଙ୍କ ଶାସନ ସମୟରେ ଏହା ୟୁରୋପରୁ ଭାରତ ବର୍ଷକୁ ଆସିଥିଲା ବୋଲି କୁହାଯାଏ ।
ଜଳବାୟୁ ଓ ମାଟି :
ଶୀତଳ ଆର୍ଦ୍ର ଜଳବାୟୁରେ ଫୁଲକୋବି ଭଲ ହୁଏ । କିନ୍ତୁ ଏହା ଅତି କମ୍ ବା । ଅତି ଉଚ୍ଚ ଉତ୍ତାପ ସହ୍ୟ କରିପାରେ ନାହିଁ । ଗଛ ବଢୁଥିବା ସମୟରେ ଉଭାପ ବଢ଼ିଗଲେ ଫୁଲ ହୁଏନାହିଁ ।
ମାଟି :
ଫୁଲକୋବି ପାଇଁ ଦୋରସା, ନିଗିଡ଼ା ମାଟି ଖୁବ୍ ଉପଯୁକ୍ତ । ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ପଦାର୍ଥ ରହିଲେ ଫସଲ ଭଲ ହୋଇଥାଏ । ଅମ୍ଳ ମାଟିରେ ଫୁଲକୋବି ଭଲ ହୁଏନାହିଁ।
କିସମ :
ଆମ ରାଜ୍ୟରେ ଦୁଇ ପ୍ରକାର କିସମ ଚାଷ କରାଯାଏ । ଯଥା – ସଅଳ କିସମ ଓ ବିଳମ୍ବ କିସମ । ସଅଳ କିସମର ଗଛ ଛୋଟ ଓ କଢ଼ ମଧ୍ୟ ଛୋଟ ହୋଇଥାଏ । ବିଳମ୍ବରେ ହେଉଥିବା କିସମର ପତ୍ର ଲମ୍ବା ଓ କଢ଼ ଗୁଡ଼ିକ ବଡ ହୁଏ । ସଅଳ କିସମ ରୂପେ ପୁଷା କଟକି, ୟାଇଁ କୁଆଁରୀ, ପୁଷା ୟାଇଁ ସିନ୍ଥେଟିକ୍, ପନ୍ଥ ଗୋବି-୩, ପୁଷା ଦିପାଳୀ, ପନ୍ଥଗୋବି-୨ ଚାଷ କରାଯାଇଥାଏ । ରୋଇବାର ପ୍ରାୟ ୨ ମାସ ପରେ କଢ଼ ବାହାରିଥାଏ । କଢ଼ିଟି ପ୍ରାୟ ୨୦ ରୁ ୨୫ ଦିନ ଭିତରେ ବଡ଼ ହୋଇ ଅମଳ ହେବାପାଇଁ ଉପଯୁକ୍ତ ହୋଇଥାଏ । ଏହି ଦୁଇ କିସମ ଜୁଲାଇ ଶେଷ ବା ଅଗଷ୍ଟ ମାସ ପ୍ରଥମ ସପ୍ତାହ ରେ ତଳି ପକାଇବା ଉଚିତ୍ ।
ପୁଷା ଦିପାଳୀ ମଧ୍ୟ ୯୦ ରୁ ୧୦୦ ଦିନ ଭିତରେ ଅମଳ ଯୋଗ୍ୟ ହୋଇଥାଏ । ଏହି କି ସମକୁ ଜୁଲାଇ ମାସ ଶେଷ ଭାଗରେ ତଳି ପକାଇ ଅଗଷ୍ଟ ମାସର ମଭାଗ ଆଡ଼କୁ ରୋଇବା ଦରକାର ।
ପୁଷା ସିନ୍ଥେଟିକ -୨, ସିନ୍ଥେଟିକ – ୩, ହିସାର ୧, ପୁଷା ଶୁଭ୍ରା, ପନ୍ଥ ଶୁଭ୍ରା, ପୁଷା ହିମଜ୍ୟୋତି (ପାହାଡ଼ିଆ ଅଞ୍ଚଳରେ ଏପ୍ରିଲରୁ ଜୁଲାଇ ମାସରେ ହୋଇପାରିବ) ପୁଷା ଶାରଦ, ପୁଷା ହାଇବ୍ରିଡ୍-୨, ପନ୍ଥଗୋବି-୪ ପ୍ରଭୃତି କିସମ ମଝାଳିଆ ଏବଂ ସ୍ନୋବଲ, ଡି-୯୬, ସ୍ନୋବଲ-୧୬, ପୁଷା ସ୍ନୋବଲ-୧, ପୁଷା ସ୍ନୋବଲ କେ-୧ କିସମ ଡେରିରେ ଅମଳ ପାଇଁ ଉପଯୁକ୍ତ । ଏହି ସବୁ କିସମ ଅମଳ ହେବା ପାଇଁ ପ୍ରାୟ ୧୧୦ ଦିନ ସମୟ ନେଇଥାଏ । ଏହି କିସମ ଗୁଡ଼ିକୁ ସେପ୍ଟେମ୍ବର ମାସରେ ତଳି ପକାଇ ଅକ୍ଟୋବର ମାସରେ ରୋଇବାକୁ ହେବ । ଏ ଗୁଡ଼ିକ ଡିସେମ୍ବର – ଜାନୁଆରୀ ମାସରେ ଅମଳ ହୋଇଥାଏ ।
ତଳି ପକାଇବା :
ଫୁଲକୋବି ଚାଷପାଇଁ ଭଲ ତଳି ଉତାରିବା ଦରକାର । ଏକ ଏକର ବିଲରେ ରୋଇବା ପାଇଁ ପ୍ରାୟ ୨୫୦ ଗ୍ରାମ୍ ମଞ୍ଜି ଆବଶ୍ୟକ ହୋଇଥାଏ । ତଳି ପକାଇବା ପୂର୍ବରୁ ମଞ୍ଜିକୁ ବିଶୋଧନ କରିବା ଉଚିତ୍ ।
ଆଜିକାଲି ଭିଟାଭାକ୍ସ ପାୱାର ନାମକ ଔଷଧ ମିଳୁଅଛି । ଏଥିରୁ କିଲୋପ୍ରତି ୨– ୩ ଗ୍ରାମ୍ ମଞ୍ଜି ସହିତ ଗୋଳାଇ ବିଶୋଧନ କରାଯାଇ ପାରିବ । ଭିଟାଭ୍ୟାକୁ ପାୱାର ନ ମିଳିଳେ ଆଗ୍ରୋସାନ ବା ସେରେସାନ ବ୍ୟବହାର କରାଯାଇପାରିବ । ସଅଳ କିସମର ତଳି ଅନେକ ସମୟରେ ତଳି ପଟିରେ ସଢ଼ିଯାଏ । ତେଣୁ ତଳି ପଟିରେ ମଞ୍ଜି ବୁଣିବା ପୂର୍ବରୁ ଫର୍ମାଲିନ୍ ନାମକ ଔଷଧ ଦ୍ଵାରା ତଳି ପଟିକୁ ବିଶୋଧନ କରିଦେବା ଉଚିତ୍ । ଏକ ଲିଟର ପାଣିରେ ୨୦ ମିଲିଲିଟର ଫର୍ମାଲିନ୍ ପକାଇ ଭଲ ଭାବରେ ଗୋଳାଇ ତଳି ପଟିରେ ସିଞ୍ଚଦେବା ଉଚିତ୍ ।
ଏକ ଏକର ଜମିରେ ରୋଇବା ପାଇଁ ତଳି ପକାଇବାକୁ ହେଲେ ୧୦ ଫୁଟ ଲମ୍ବ ଓ ୩ ଫୁଟ ଚଉଡ଼ାର ୧୦ଟି ପଟି ଆବଶ୍ୟକ । ତଳି ପଟାଳିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରନ୍ତୁ । ସେଥିରେ ଭଲ ସଢ଼ା ଖତ ଓ ସୁପର ଫସ୍ଫେଟ୍ ଦିଅନ୍ତୁ । ପ୍ରତି ପଟି ପିଛା ପ୍ରାୟ ୩-୪ ଟୋକେଇ ଖତ, ୧୦୦ ଗ୍ରାମ୍ ସୁପର ଫସ୍ଫେଟ୍ ଓ ୫୦ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ଦେଇ ମାଟିରେ ମିଶାଇ ଦିଅନ୍ତୁ । ପଟିରେ ଧାଡ଼ି ଧାଡ଼ି କରି ମଞ୍ଜି ପକାଇ ଗୁଣ୍ଡ ମାଟିରେ ଘୋଡ଼ାଇ ଦିଅନ୍ତୁ ଓ ପଟିକୁ ନଡ଼ା ଦ୍ଵାରା ଢାଙ୍କି ଦିଅନ୍ତୁ । ଅନେକ ଚାଷୀ ନ ଡ଼ାକୁ ଅଧଇଞ୍ଚ ଲମ୍ବା କାଟି ତଳିପଟି ଉପରେ ବୁଣି ଦିଅନ୍ତି । ଏହାଦ୍ୱାରା ବର୍ଷା ମାଡ଼ରେ ତଳିର କୌଣସି କ୍ଷତି ହୁଏ ନାହିଁ ।
ସଅଳ କିସମ ପାଇଁ ଜୁଲାଇ ଅଗଷ୍ଟରୁ ଓ ବିଳମ୍ବ କିସମ ପାଇଁ ସେପ୍ଟେମ୍ବର ଠାରୁ ଅକ୍ଟୋବର ଭିତରେ ତଳି ପକାଇବା ଉଚିତ୍ । ତଳି ୨-୩ ପତ୍ରର ହୋଇଗଲା ପରେ ୧ ଲିଟର ପାଣିରେ ୧ ଗ୍ରାମ୍ ହିସାବରେ ୟୁରିଆ ମିଶାଇ ତଳି ଉପରେ ସ୍ପ୍ରେ କରନ୍ତୁ । ସେହି ପରି ତଳିରେ ରୋଗ ନହେବା ପାଇଁ ମଧ୍ୟ ବାଭିଷ୍ଟିନ୍ ସ୍ପ୍ରେ କରନ୍ତୁ ।
ରୋଇବା :
ଫୁଲକୋବି ପାଇଁ ଭଲ ଚାଷ ଦରକାର । ଲୁହା ଲଙ୍ଗଲରେ ୨ ଥର ଚାଷକରି ଚକ୍ରବିଦା ସାହାଯ୍ୟରେ ୨– ୩ ଥର ଚାଷକଲେ ମାଟି ଗୁଣ୍ଡ ହୋଇଯାଏ । ଶେଷଓଡ଼ ଚାଷ ବେଳେ ଏକର ପିଛା ୧୦-୧୨ ଗାଡ଼ି ଭଲ ଖତ ବିଲରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଅନେକ ଚାଷୀ ଖତକୁ ବିଲଯାକ ନ ବୁଣି ସିଆରରେ ଦେବାକୁ ପସନ୍ଦ କରିଥାନ୍ତି । ଚାଷପରେ ସିଆର କରି ତଳି ରୁଅନ୍ତୁ । ସଅଳ କିସମ ପାଇଁ ଦୁଇ ସିଆର ଭିତରେ ବ୍ୟବଧାନ ୧ ଫୁଟ ଓ ଗଛକୁ ଗଛ ବ୍ୟବଧାନ ୧ ଫୁଟ, ମଝାଳିଆ କିସମ ପାଇଁ ଗଛକୁ ଗଛ ଓ ଧାଡିକୁ ଧାଡ଼ି ୧ ଫୁଟ ଓ ବିଳମ୍ବ କିସମ ପାଇଁ ଧାଡ଼ିକୁ ଧାଡ଼ି ୨ ଫୁଟ ଓ ଗଛକୁ ଗଛ ୧ ଫୁଟ ରଖି ତଳି ରୁଅନ୍ତୁ।
ତଳି ରୋଇବା ପୂର୍ବରୁ ସିଆରରେ ଏକର ପିଛା ୨୦୦ କିଲୋ ସିଙ୍ଗଲ ସୁପର ଫଫେଟ୍ ଓ ୪୦ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଦେଇ ମାଟିରେ ମିଶାଇ ଦିଅନ୍ତୁ । ସିଆରରେ ତଳି ଲଗାଇବା ସ୍ଥାନରେ ସାର ଦେବା ଉଚିତ୍ ଏହାଦ୍ୱାରା ସାରର ସଦ୍ବ୍ୟବହାର ହୋଇଥାଏ । ସାଧାରଣତଃ ଉପର ବେଳା ତଳି ଉପାଡ଼ି ବିଲରେ ଲଗାନ୍ତୁ ଏବଂ ଲଗାଇ ସାରିବା ପରେ ପାଣି ଦିଅନ୍ତୁ । ଲଗାଇବାର ୧ ସପ୍ତାହ ପରେ ଏକର ପିଛା ୪୪ କିଲୋ ୟୁରିଆ ଗଛ ଚାରିପଟେ ଦେଇ ଦିଅନ୍ତୁ । ରୋଇବାର ୩୦ ଦିନ ପରେ ପୁନଶ୍ଚ ଏକର ପିଛା ୪୪ କିଲୋ ୟୁରିଆ ଦେଇ ହୁଡ଼ା ଟେକି ଦିଅନ୍ତୁ । ଶେଷଥର ଏକର ପିଛା ୪୪ କିଲୋ ୟୁରିଆ ସାର ଲଗାଇବାର ୪୫ ଦିନ ପରେ ପ୍ରୟୋଗ କରନ୍ତୁ । ଏହାଦ୍ଵାରା କଢ଼ ଶୀଘ୍ର ବାହାରିବ ଓ ଆକାରରେ ମଧ୍ୟ ବଡ଼ ହେବ।
ଜଳସେଚନ :
ବର୍ଷାଦିନିଆ କୋବିରେ ପ୍ରାୟ ପାଣିଦେବା ଦରକାର ପଡ଼େ ନାହିଁ । କିନ୍ତୁ ମଝାଳିଆ ଓ ବିଳମ୍ବ କିସମର କୋବି ପାଇଁ ୭-୮ ଦିନରେ ଥରେ ଲେଖାଏଁ ପାଣି ମଡ଼ାଇବା ଉଚିତ୍ । କୋବି କିଆରୀକୁ ସବୁବେଳେ ପରିଷ୍କାର ରଖିବା ଉଚିତ୍ ।
ଅମଳ :
ଏକ ଏକର ବିଲରୁ ପ୍ରାୟ ୧୫୦୦୦ ରୁ ୨୫୦୦୦ ପର୍ଯ୍ୟନ୍ତ କୋବି ଅମଳ ହେବ । ସାଧାରଣତଃ ସଅଳ ଅମଳ ହେଉଥିବା କୋବି ବେଶି ଦାମରେ ବିକ୍ରି ହୋଇଥାଏ । ତେବେ ଜଣେ ଜଣେ ଚାଷୀ କୋବି ଚାଷରୁ ଏକର ପିଛା ପ୍ରାୟ ୩୬ ହଜାର ଟଙ୍କା ପାଇଥାନ୍ତି । ଖର୍ଚ୍ଚ ୧୪,୦୦୦ ଟଙ୍କା ବାଦ ଦେଲେ ଲାଭ ପ୍ରାୟ ୨୨,୦୦୦ ଟଙ୍କା ମିଳିଥାଏ । ସଅଳ ଚାଷ କଲେ ଲାଭ ଅଧିକ ହୋଇଥାଏ । ତେଣୁ ଏଥିପ୍ରତି ଚାଷୀମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।
ଅନେକ ସମୟରେ ଅତି ଖରାରେ ଫୁଲଗୁଡ଼ିକ ମାଟିଆ ପଡ଼ିଯିବାର ସମ୍ଭାବନା ଥାଏ । ତେଣୁ ତଳଆଡୁ ପତ୍ର ଗୁଡ଼ିକୁ ଆଣି ଫୁଲ ଉପରେ ବାନ୍ଧି ଦେଲେ ଖରାରୁ ରକ୍ଷା ମିଳେ ।
ଫୁଲ କୋବି ଫସଲରେ ଅନେକ ସମୟରେ କେତେ ଗୁଡ଼ିଏ ଅସ୍ଵାଭାବିକ ଅବସ୍ଥା ଦେଖାଯାଏ । ମାଟିରେ ବୋରନ୍ ଅଭାବ ହେଲେ କାଣ୍ଡ ଓ ଫୁଲ ମାଟିଆ ପଡ଼ିଯାଏ । ଏହି ଅସୁବିଧା ଦୂର କରିବା ପାଇଁ ଏକର ପିଛା ୫ ରୁ ୬ କେଜି ପର୍ଯ୍ୟନ୍ତ ସୋଡ଼ିଅମ ବୋରେଟ୍ ବା ବୋରାକ୍ସ ଦେବା ଉଚିତ୍ ।
ସେହିପରି ମଲିବଡେନମ୍ ଅଭାବରେ ଫୁଲ ବାହାରେ ନାହିଁ ବା ବାହାରିଲେ ଛାଟ ପରି ବାହାରେ । ସାଧାରଣତଃ ଅମ୍ଳ ମାଟିରେ ଏହି ଅସୁବିଧା ଦେଖାଯାଏ । ମାଟିରେ ଚୂନ ଦେବା ଦ୍ଵାରା ଏହି ଅସୁବିଧା ଦୂର ହୋଇଥାଏ । ଅନେକ ସମୟରେ ଏକର ପିଛା ୬୦୦ ଗ୍ରାମ୍ ସୋଡ଼ିଅମ୍ ମଲିଡେନମ୍ ଦେବା ଉଚିତ୍।
ଯବକ୍ଷାରଜାନ ଜାତୀୟ ସାର ଅଭାବରେ କୋବି କଢ଼ ବଡ଼େ ନାହିଁ । ତେଣୁ ଆବଶ୍ୟକ ପରିମାଣରେ ଓ ଠିକ୍ ସମୟରେ ଯବକ୍ଷାରଜାନ ଜାତୀୟ ସାର ଦେଲେ ଏହି ଅସୁବିଧା ଦୂର ହୁଏ । ସେହିପରି ଅନେକ ଗଛରେ ଆଦୌ କଢ଼ ହୁଏନାହିଁ । କୌଣସି କାରଣରୁ ଗଛର ଅଗଭାଗ ନଷ୍ଟ ହୋଇଯାଇଥିଲେ ଏହି ଅସୁବିଧା ହୁଏ ।
ବନ୍ଧାକୋବି :
ଆମ ଦେଶରେ ବନ୍ଧା କୋବି ଏକ ମୁଖ୍ୟ ପରିବା ରୂପରେ ବ୍ୟବହାର ହୋଇଥାଏ । ଶୀତଦିନେ ପ୍ରାୟ ସବୁ ଅଞ୍ଚଳରେ ବନ୍ଧାକୋବିର ଚାହିଦା ଅଧିକ। ବନ୍ଧାକୋବି ଯେପରି ରୁଚିକର, ସେହିପରି ପୁଷ୍ଟିକର ମଧ୍ୟ । ଏଥିରେ ପ୍ରୋଟିନ୍, ନାନା ପ୍ରକାରର ଧାତବ ଲବଣ ଓ ଭିଟାମିନ୍ ଏ, ବି, ସି ରହିଥାଏ।
ସୋଭିଏତ୍, ରୁଷ୍, ଜର୍ମାନୀ ଓ ଆମେରିକାରେ ମଧ୍ୟ ବନ୍ଧାକୋବି ବହୁ ପରିମାଣରେ ପରିବା ରୂପେ ବ୍ୟବହାର କରାଯାଏ । ବିଶେଷଜ୍ଞମାନଙ୍କ ମତରେ ବନ୍ଧାକୋବି ଭୁମଧ୍ୟ ସାଗରୀୟ ଅଞ୍ଚଳରେ ପ୍ରଥମେ ଦେଖାଯାଇଥିଲା । ଗ୍ରୀକ୍, ରୋମ୍ ଓ ଇଜିପ୍ଟରେ ଏହା ପ୍ରଥମେ ଚାଷ ହେଉଥିଲା । ଏହା ୟୁରୋପରୁ ଆମ ଦେଶକୁ ଆସିଥିଲା ।
ମାଟି ଓ ଜଳବାୟୁ :
ବନ୍ଧାକୋବି ସାଧାରଣତଃ ଥଣ୍ଡା ଜଳବାୟୁରେ ଭଲ ହୁଏ । ଭାରତର ସବୁ ଅଞ୍ଚଳରେ ଶୀତଦିନେ ଏହା ଚାଷ କରାଯାଏ । କିନ୍ତୁ ହିମାଳୟର ପାର୍ବତ୍ୟ ଅଞ୍ଚଳରେ ଶରତ ଋତୁରେ ମଧ୍ୟ ଏହା ଚାଷ କରାଯାଇଥାଏ । ବନ୍ଧାକୋବି ପ୍ରାୟ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରିବ । ତେବେ ନିଗିଡ଼ା ଢିପ ଜମିରେ ବନ୍ଧାକୋବି ଭଲ ହୁଏ, ଅମ୍ଳମାଟିରେ ବନ୍ଧାକୋବି ଭଲ ହୁଏ ନାହିଁ । ଯଦି ମାଟି ଅମ୍ଳ ହୋଇଥାଏ, ତେବେ ସେଥିରେ ଚୂନ ଦେଇ ତାହାକୁ ବିଶୋଧନ କରିବା ଉଚିତ୍ ।
କିସମ :
ଆମ ରାଜ୍ୟପାଇଁ ସାଧାରଣତଃ ନିମ୍ନଲିଖିତ କିସମ ଗୁଡ଼ିକ ଚାଷ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।
ବନ୍ଧାକୋବି ସଅଳ କିସମ ହିସାବରେ ଗୋଲଡେନ୍ ଏକର, ପ୍ରାଇଡ୍ ଅଫ୍ ଇଣ୍ଡିଆ, ପୁଷା ସମ୍ବନ୍ଧ, ଗ୍ରୀନ୍ ବଲ, ଗୋଲ୍ ଷ୍ଟାର୍ ଏବଂ ଗଣେଶ ଗୋଲ କିସମ ଚାଷ କରାଯାଏ । ଏଗୁଡ଼ିକୁ ପ୍ରାୟ ୬୦ ରୁ ୯୦ ଦିନ ଭିତରେ ଅମଳ ହୋଇଥାଏ । ଗୋଟିଏ ଗୋଟିଏ କୋବିର ଓଜନ ପ୍ରାୟ ୨ କେ.ଜି. ପର୍ଯ୍ୟନ୍ତ ହୋଇଥାଏ ଓ ଏକର ପିଛା ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ।
ଉଚ୍ଛୁର କିସମ ହିସାବରେ ପୁଷା ଡ୍ରିମ ହେଡ୍ ବହୁଳ ଭାବେ ଚାଷ ହୁଏ । ଏହା ଅମଳ ହେବାକୁ ୧୦୦ ଦିନ ଲାଗେ ଓ ଏକ ଏକରରୁ ପ୍ରାୟ ୧୫୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ ।
ଡେନିସ୍ ବଲ୍ ହେଡ୍ ମଧ୍ୟ ଉଚ୍ଛୁର କିସମ ହିସାରେ କରାଯାଇପାରିବ ।
ମଞ୍ଜି ଓ ଚାରା ପ୍ରସ୍ତୁତି :
ଏକ ଏକର ବିଲ୍ ପାଇଁ ପ୍ରାୟ ୨୦୦ ଗ୍ରାମ୍ ମଞ୍ଜି ଦରକାର ହୁଏ । ତେବେ ସଅଳ ଅମଳ ହେଉଥିବା କିସମ ପାଇଁ ୨୫୦ ରୁ ୩୫୦ ଗ୍ରାମ୍ ମଞ୍ଜି ତଳି ପକାଇବା ଭଲ ।
ଫୁଲକୋବି ପରି ବନ୍ଧାକୋବି ପାଇଁ ମଧ୍ୟ ତଳି ପଟାଳି ପ୍ରସ୍ତୁତ କରାଯାଏ । ମଞ୍ଜି ବୁଣିବା ପୂର୍ବରୁ ସେରେସାନ୍ ବା ଆଗ୍ରୋସାନ୍ ଦ୍ଵାରା ବିଶୋଧନ କରିବା ଉଚିତ୍ । ଏଥିପାଇଁ ପ୍ରାୟ ଅଧଗ୍ରାମ୍ ଔଷଧ ଦରକାର ହୋଇଥାଏ । ଏକ ଗ୍ରାମ୍ ଓଜନର ମଞ୍ଜିରେ ପ୍ରାୟ ୧୦୦ଟି ମଞ୍ଜି ରହିଥାଏ ।
ସଅଳ କିସମ ପାଇଁ ଅଗଷ୍ଟ–ସେପ୍ଟେମ୍ବରରେ ଓ ବିଳମ୍ବ କିସମ ପାଇଁ ଅକ୍ଟୋବରରେ ତଳି ପକାଇବା ଉଚିତ୍ । ଏକ ଏକର ବିଲରେ ରୋଇବା ପାଇଁ ୧୦ ଫୁଟ ଲମ୍ବା ଓ ୩ ଫୁଟ ଚଉଡ଼ାର ୧୦ଟି ତଳି ପଟାଳି ଆବଶ୍ୟକ ହୋଇଥାଏ । ତଳି ପଟାଳିରେ ମଞ୍ଜି ବୁଣି ତାହାକୁ ଗଜା ହେବା ପର୍ଯ୍ୟନ୍ତ ଘୋଡ଼ାଇବା ଉଚିତ୍ । ତଳି ୩/୪ ସପ୍ତାହର ହେଲାପରେ ରୋଇବା ପାଇଁ ଉପଯୁକ୍ତ ହୁଏ ।
ରୋଇବା :
ବନ୍ଧାକୋବି ପାଇଁ ଭଲ ଚାଷ ଆବଶ୍ୟକ । ମାଟି ଭଲ ଭାବରେ ଗୁଣ୍ଡ ହେଲେ କୋବି ଭଲ ହୁଏ । ବିଲକୁ ଚାଷକରି ସାରିବା ପରେ ସିଆର କରି ତଳି ରୁଆଯାଏ । ସଅଳ କିସମ ପାଇଁ ଧାଡିକୁ ଧାଡ଼ି ଦେଢ଼ ଫୁଟ ଓ ଗଛକୁ ଗଛ ୧ ଫୁଟ ଏବଂ ବିଳମ୍ବ କିସମ ପାଇଁ ଧାଡିକୁ ଧାଡ଼ି ଦୁଇ ଫୁଟ ଓ ଗଛକୁ ଗଛ ଦେଢ଼ଫୁଟ ବ୍ୟବଧାନ ରଖି ରୋଇବା ଉଚିତ୍ ।
ଖତ ଓ ସାର :
ବନ୍ଧାକୋବି ପାଇଁ ଏକର ପିଛା ୧୦/୧୨ ଗାଡ଼ି ଭଲ ଖତ ଦେବା ଦରକାର । କିନ୍ତୁ ଫୁଲକୋବି ଓ ବନ୍ଧାକୋବିରୁ ଅଧିକ ଅମଳ ପାଇବାକୁ ହେଲେ ବିଲରେ ଯଥେଷ୍ଟ ପରିମାଣର ଭଲ ଖତ ଦେବା ଉଚିତ୍ । ଜାପାନ, ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶରେ ଚାଷୀମାନେ କୋବିଚାଷ କରୁଥିବା ବିଲରେ ୨୦ ଗାଡ଼ି ପର୍ଯ୍ୟନ୍ତ ଭଲ ଖତ ଦେଇ ବେଶ୍ ଅଧିକ ଅମଳ ପାଇଥାନ୍ତି । ଏକ ଏକର ପାଇଁ ୧୩୨ କିଲୋ ୟୁରିଆ, ୨୦୦ କିଲୋ ସିଙ୍ଗଲ ସୁପର ଫସ୍ଫେଟ୍ ଓ ୪୫ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ଦେବାକୁ ହେବ । ଏହି ସାରରୁ ସବୁତକ ଫସଫେଟ୍ ଓ ପଟାସ୍ ସାର ଲଗାଇବା ପୂର୍ବରୁ ଦିଅନ୍ତୁ । ତଳି ରୋଇବାର ୭ ଦିନ ପରେ ୪୪ କିଲୋ ୟୁରିଆ ଦିଅନ୍ତୁ । ପୁଣିଥରେ ୩୦ ଦିନ ପରେ ୪୪ କିଲୋ ୟୁରିଆ ଦେଇ ମାଟି ଦିଅନ୍ତୁ । ଅବଶିଷ୍ଟ ୪୪ କିଲୋ ୟୁରିଆକୁ ତଳି ରୋଇବାର ୪୫ ଦିନପରେ ଗଛ ମୂଳରେ ପ୍ରୟୋଗ କରନ୍ତୁ ।
ଜଳସେଚନ :
ମାଟିରେ ପାଗ ଦେଖି ୭/୮ ଦିନରେ ଥରେ ଲେଖାଏଁ ପାଣି ଦିଅନ୍ତୁ । ଅମଳ ପୂର୍ବରୁ ଜଳସେଚନ ପରିମାଣ କମାଇ ଦେବା ଉଚିତ୍।
ଅମଳ :
ଏକର ପିଛା ୧୨୦ କ୍ଵିଣ୍ଟାଲ ବନ୍ଧାକୋବି ମିଳିଥାଏ ।
ଓଲକୋବି :
ଶୀତଦିନେ ଓଲକୋବି ଚାଷ କରାଯାଇଥାଏ । ଉତ୍ତର ଭାରତରେ ଏହି କୋବିର ଚାହିଦା ବହୁତ । ଫୁଲକୋବି ସହିତ ମଧ୍ୟ ଉଲକୋବି ଲଗାଯାଇ ପାରିବ । ଦୁଇଟି ଫୁଲକୋବି ଚାରା ଭିତରେ ଗୋଟିଏ ଲେଖାଏଁ ଓଲକୋବି ଚାରା ଲଗାଇଲେ ଓଲକୋବିଟି ପ୍ରାୟ ୫୦-୬୦ ଦିନ ଭିତରେ ଅମଳ ହୋଇଯାଏ । ଫଳରେ ସାର, ପାଣି ଇତ୍ୟାଦିର ସଦ୍ବ୍ୟବହାର ହୋଇଥାଏ ।
ଆମ ରାଜ୍ୟପାଇଁ ହ୍ଵାଇଟ ଭିଏନା ଓ ପର୍ପଲ ଭିଏନା କିସମ ଉପଯୁକ୍ତ । ଏହି କିସମ ଗୁଡ଼ିକ ସେପ୍ଟେମ୍ବର, ଅକ୍ଟୋବରରେ ତଳିପଡ଼ି ଫୁଲକୋବି ଲଗାଇବା ସମୟରେ ଲଗାଯାଇପାରିବ ।
ଏହାର ଚାଷ ପ୍ରାୟ ଫୁଲକୋବି ପରି । ଏକ ଏକର ପାଇଁ ପ୍ରାୟ ୫୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜିକୁ ତଳି ପକାଇ ୩/୪ ସପ୍ତାହ ପରେ ଲଗାଯାଏ । ସାଧାରଣତଃ ଯଦି ସ୍ଵତନ୍ତ୍ର ଭାବରେ ଚାଷ କରାଯାଉଥାଏ, ତେବେ ଏକର ପିଛା ୧୦୦ କେ.ଜି. ୟୁରିଆ, ୧୫୦ କେ.ଜି. ସିଙ୍ଗଲ ସୁପର ଫସ୍ ଫେଟ୍ ଓ ୪୦ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ ।
ଲଗାଇବାର ୭ ଦିନ ପରେ, ୩୦ ଦିନ ପରେ ଓ ୪୫ ଦିନ ପରେ ଯବକ୍ଷାରଜାନ ସାରକୁ ୩ ଭାଗରେ ବିଭକ୍ତ କରି ପ୍ରୟୋଗ କରନ୍ତୁ ।
ଅମଳ :
ନରମ ଅବସ୍ଥାରେ ଏହାକୁ ତୋଳିବା ଉଚିତ୍ । ଡେରିରେ ଅମଳ କଲେ ଏହା ଖାଇବା ପାଇଁ ଅନୁପଯୁକ୍ତ ହୋଇଥାଏ । ଏକ ଏକରରୁ ପ୍ରାୟ ୧୦୦ କ୍ଵିଣ୍ଟାଲ ଓଲକୋବି ମିଳିଥାଏ ।
କୋବି ଫସଲରେ ରୋଗ ଓ ପୋକ :-
ତଳି ସଢ଼ା ରୋଗ :
ସାଧାରଣତଃ ତଳି କିଆରୀରେ ଏହି ରୋଗ ଦେଖାଯାଏ । ଫଳରେ ଛୋଟ ଛୋଟ ତଳି ଗୁଡ଼ିକ ସଢ଼ି ମରିଯାଏ ।
ତଳି ପକାଇବା ପୂର୍ବରୁ ସେହି ପଟାଳୀକୁ ଫର୍ମାଲିନ୍ ଦ୍ଵାରା ବିଶୋଧନ କରିବା ଉଚିତ୍ । ଏକ ଲିଟର ପାଣିରେ ୨୦ ମିଲିଲିଟର ଫର୍ମାଲିନ୍ ମିଶାଇ ସେହି ପାଣିକୁ ପଟାଳୀରେ ଭଲ ଭାବରେ ପକାଇ ତାହାର ୨ ସପ୍ତାହ ପରେ ତଳି ପକାଇବା ଉଚିତ୍ ।
କଳା ସଢ଼ା ରୋଗ :
ଏହି ରୋଗ ହେଲେ କୋବି ପତ୍ରର ଅଗ୍ରଭାଗ ହଳଦିଆ ପଡ଼ିଯାଏ ଏବଂ ପରେ ଝଡ଼ିପଡ଼େ । ଏହି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ତଳି ଘରାକୁ ବିଶୋଧନ କରିବା ଉଚିତ୍।
ପାଉଁଶିଆ ରୋଗ :
ଏହି ରୋଗ ହେଲେ ଚାରା ଅବସ୍ଥାରେ ଗଛ ସଢ଼ିଯାଏ । କଢ଼ ଅବସ୍ଥାରେ ପତ୍ର ଉପରେ ହଳଦିଆ ବା ବାଇଗଣି ଦାଗ ଦେଖାଯାଏ । ଇଣ୍ଡୋଫିଲ୍ ଏମ୍-୪୫ ଔଷଧ ବ୍ୟବହାର କଲେ ଏହି ରୋଗରୁ ରକ୍ଷା ମିଳିଥାଏ ।
ଜଉଆ ପୋକ :
ଚାରା ରୋପଣର ୩୦ ଦିନପରେ ଇମିଡ଼ାକ୍ରୋପ୍ରିଡ଼ (କନ୍ଫିଡର ୫ ମି.ଲି. ୧୦ ଲିଟର ପାଣି) କିମ୍ବା ୧୫ ଦିନ ବ୍ୟବଧାନରେ ଡାଇମିଥାଏଟ୍ (ରୋଗର ୨ ମି.ଲି. / ଲିଟର ପାଣି) କିମ୍ବା ମିଥାଇଲ୍ ଡିମେଟନ୍ (ମେଟାସିଷ୍ଟକୁ ୨ ମି.ଲି.ଲିଟର ପାଣି) କିମ୍ବା ନିମ୍ବରୁ ପ୍ରସ୍ତୁତ କୀଟନାଶକ (ନିମାଜଲ ୫ ମି.ଲି. / ଲିଟର ପାଣି) କିମ୍ବା ଟ୍ରାୟାଜୋଫସ୍ + ଡେଲଟାମେଥ୍ରୀନ୍ (ସାର୍କ ୧ ମି.ଲି. / ଲିଟର ପାଣି) ୧୦ ଦିନ ବ୍ୟବଧାନରେ ୩-୪ ଥର ବଦଳାଇ ସ୍ପ୍ରେ କରନ୍ତୁ ।
ଫୁଲକୋବି ଓ ବନ୍ଧାକୋବିରୁ ପୋକ ମାରିବା ପାଇଁ ଚାଷୀମାନେ ଅନେକ ବିଷାକ୍ତ ଔଷଧ ବ୍ୟବହାର କରିଥାନ୍ତି । ତେବେ କୋବି ତୋଳିବାର ୨୦- ୨୫ ଦିନ ଆଗରୁ ସେଥିରେ କୌଣସି ପ୍ରକାରର ବିଷାକ୍ତ ଔଷଧ ପକାଇବା ଉଚିତ୍ ନୁହେଁ । କାରଣ ସେହି ଔଷଧର ବିଷକ୍ରି ୟା ଆମ ଦେହ କୁ ଯାଇ ନାନା ପ୍ରକାର ରୋଗ ସୃଷ୍ଟି କରିଥାଏ । ତେଣୁ ପ୍ରତ୍ୟେକ ଚାଷୀଭାଇ ଏହାକୁ ଏକ ସତର୍କତା ଭାବେ ଗ୍ରହଣ କରିବା ଆବଶ୍ୟକ ।