ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ବିଏସଏଫ ଯବାନଙ୍କ ଆତ୍ମହତ୍ୟା
ରାୟଗଡା : ଆତ୍ମହତ୍ୟା କଲେ ବିଏସଏଫ ଯବାନ । ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ବିଏସଏଫ ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ରାୟଗଡା ଜିଲ୍ଲା କାଶୀପୁର ବିଏସଏଫ କ୍ୟାମ୍ପ୍ ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା କାଶୀପୁର ବିଏସଏଫ କ୍ୟାମ୍ପ୍ ପରିସରରେ ଆତ୍ମହତ୍ୟା କରିଛନ୍ତି ଜଣେ ବିଏସଏଫ ଯବାନ । ମୃତ ଯବାନ ଜଣଙ୍କ ହେଉଛନ୍ତି ଦିଲ୍ଲୀପ କୁମାର ମାହି । ତାଙ୍କ ବୟସ ୩୩ ବର୍ଷ । ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି । ବୁଧବାର ଦିନ ୧୧ ଟା ୩୦ ମିନିଟ୍ ସମୟରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ବିଏସଏଫ ୬୮ ନମ୍ବର ବାଟାଲିୟନ କ୍ୟାମ୍ପ୍ ପରିସରରେ ଏଭଳି ଘଟଣା ଘଟିଛି । ଆତ୍ମହତ୍ୟା କରିଥିବା ଯବାନଙ୍କ ଶବ କ୍ୟାମ୍ପର ଗୋଟିଏ କୋଠରୀ ଭିତରେ ରହିଛି । ପୋଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀ ପହଞ୍ଚିବା ପରେ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି । ଦିଲ୍ଲୀପ ଗତ ଚାରି ମାସ ପୂର୍ବରୁ ବିବାହ କରିଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।