ଗଂଜେଇ ସହ ବୋଲେରୋ ଜବତ, ୩ ଅଭିଯୁକ୍ତ କୋର୍ଟ ଚାଲାଣ, ଜଣେ ଫେରାର
କନ୍ଧମାଳ : ଖଜୁରୀପଡ଼ା ପୋଲିସ ଆଜି ଗଞ୍ଜେଇ ଚାଲାଣ ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଛି । ଗତକାଲି କୌଣସି ସୁତ୍ରରୁ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ପାଇ ଥାନା ସବ୍ଇନ୍ସ୍ପେକ୍ଟର ଶିଶିର କୁମାର ପ୍ରଧାନଙ୍କୁ ବନ୍ଧସାହି ଛକରେ ବୋଲେରୋ ଗାଡ଼ି ଓଡି୦୫ଏସ୬୯୨୫କୁ ଯାଂଚ କରିବା ସହ ଗାଡ଼ିକୁ ଥାନାକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣା ସ୍ଥଳରେ ଯାଂଚ ସମୟରେ ଗାଡ଼ିରୁ ନିରଂଜନ ଦିଗାଲ କୌଣସି ପ୍ରକାରେ ଖସି ଯାଇଥିବା ଜଣାପଡ଼ିଛି । ପୋଲିସ ଗାଡ଼ିକୁ ଥାନାକୁ ଆଣି ଦେଖିବାବେଳେ ସେଥିରୁ ୩୦ କେଜି ଗଂଜେଇ ରହିଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଶୁଖମା ଦିଗାଲ, ରାନୁମା ଦିଗାଲ ଏବଂ ଶୋଭାକାନ୍ତ ଦିଗାଲ ଏବଂ ଫେରାର ଅଭିଯୁକ୍ତ ନିରଂଜନ ଦିଗାଲଙ୍କ ଘର ଫିରିଙ୍ଗିଆ ଥାନା ଡୁମୁରିଗୁଡ଼ା ହୋଇଥିବାବେଳେ ସେମାନଙ୍କୁ ୪୨/୨୩ରେ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଫେରାର ଅଭିଯୁକ୍ତ ନିରଂଜନ ଦିଗାଲକୁ ଖୋଜୁଥିବାବେଳେ ତଦନ୍ତ ଦାୟିତ୍ୱ ସବ୍ଇନ୍ସପେକ୍ଟର ଦୀନବନ୍ଧୁ ପ୍ରଧାନ ନେଇଛନ୍ତି । ବନ୍ଧସାହି ଛକରେ ଗଞ୍ଜେଇ ରହିଥିବା ଗାଡ଼ିକୁ ଜବତ କରିବାରେ ଖଜୁରୀପଡ଼ା ଥାନାର ସମସ୍ତ ପୋଲିସ ସାମିଲ୍ ହୋଇଥିଲେ ।