ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ : କୋଭିଡ୍ ପାଇଁ ବାତିଲ୍ ହେଲା ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା। ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ସେହିପରି ଜୁନ୍ ୧ରେ ପୁଣିଥରେ ଏ ବାବଦରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖାଯିବା ନେଇ କୁହାଯାଇଛି । ଯଦି ପରୀକ୍ଷା ହୁଏ ତେବେ ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ସିବିଏସଇ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଗଲା। ସିବିଏସଇ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇ ଏହା ଆଧାରରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରାଯିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ। ଏଭଳି ଏକ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟରେ ବୋର୍ଡ ପରୀକ୍ଷା କରାଇବା ବିପକ୍ଷରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱର ଉତ୍ତୋଳନ କରିବା ପରେ ‘କ୍ୟାନ୍ସଲ୍ ବୋର୍ଡ ଏକ୍ଜାମ୍ସ୍ ୨୦୨୧’ ହାସ୍ଟ୍ୟାଗ୍ ମଧ୍ୟ ଟୁଇଟର୍ରେ ଟ୍ରେଣ୍ଡିଙ୍ଗ୍ ହୋଇଥିଲା। ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଛନ୍ତି।
Students of Class 10 to be promoted on basis of internal assessment. If a student is not satisfied with the assessment then he/she can appear for the examination once the situation (#COVID19) is normal: Union Education Minister Ramesh Pokhriyal Nishank to ANI pic.twitter.com/B8okmzZowe
— ANI (@ANI) April 14, 2021
ସୂଚନା ଥାଉ କି ସମଗ୍ର ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ‘ସିବିଏସ୍ଇ’ ବୋର୍ଡ ପରୀକ୍ଷା ସ୍ଥଗିତ ଓ ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତେଣୁ ସିବିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ଏବେ ସ୍ଥଗିତ ରହିବା ଦରକାର ବୋଲି ସେମାନେ କହିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ତାଙ୍କ ପରୀକ୍ଷା ସ୍ଥଗିତ ରଖିବା ଦାବିକୁ ସମର୍ଥନ କରିଥିଲେ। ଆଉ ଏ ବାବଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ବର୍ଷର ‘ସିବିଏସ୍ଇ’ ପରୀକ୍ଷା ସଂକ୍ରାନ୍ତରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଏବଂ ଅନ୍ୟ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।