ଆଜି ହିମୋଫିଲିଆ ଦିବସ! ରକ୍ତଜନିତ ରୋଗ ହେମୋଫିଲିଆ, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ
ହେମୋଫିଲିଆ ହେଉଛି ଏକ ରକ୍ତଜନିତ ରୋଗ । ଗ୍ରୀକ୍ ଶବ୍ଦ ହାମିଆ ଓ ଫିଲିଆକୁ ନେଇ ଗଠିତ ହୋଇଛି ହେମୋଫିଲିଆ । ହେମିଆ ଅର୍ଥ ବ୍ଲଡ଼ ବା ରକ୍ତ ଏବଂ ଫିଲିଆ ଅର୍ଥ ଫ୍ରେଣ୍ଡ ବା ବନ୍ଧୁ । ଏହି ରୋଗ ହେଲେ ରକ୍ତ ସହଜରେ ଜମାଟ ବାନ୍ଧିନଥାଏ । କାରଣ ହେମୋଫିଲିଆରେ ଜଣେ ଆକ୍ରାନ୍ତ ହେଲେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ହେଉ ଥିବା ପ୍ରୋଟିନ୍ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ । କେତେକ କ୍ଷେତ୍ରରେ ଦେଖାଯାଏ ଏପରିକି ନବଜାତକ ପିଲାଟି ଜନ୍ମ ହେବା ବେଳେ ନାହିରୁ ରକ୍ତ କ୍ରମାଗତ ବାହାରି ଥାଏ । ଏହା ହେମୋଫିଲିଆର ପ୍ରଧାନ ଲକ୍ଷଣ । ଏ କ୍ଷେତ୍ରରେ ଜଣଙ୍କର ରକ୍ତ ପରୀକ୍ଷାରୁ ସବିଶେଷ ଜଣାପଡ଼ିବା ପରେ ପ୍ୟାକ୍ଟର-୮ ବା ଫ୍ୟାକ୍ଟର-୯ ଚିକିତ୍ସା ପଦ୍ଧତି ଗ୍ରହଣ କରାଯାଏ । ଅନେକ ମୁର୍ମୁଷୁ ରୋଗୀ ମାନଙ୍କୁ ରକ୍ତ ଦେବାକୁ ପଡ଼ିଥାଏ । ବେଳେ ବେଳେ କୌଣସି ସ୍ଥାନରେ ଆଘାତ ହେଲେ ସେହି ସ୍ଥାନର ଭିତର ଭାଗରେ ରକ୍ତ କ୍ଷରଣ ହୋଇଥାଏ କିନ୍ତୁ ହେମୋଫିଲିଆ ହୋଇଥିଲେ ଏହି ରକ୍ତ ଜମାଟ ବାନ୍ଧିନଥାଏ ।
ସାଧାରଣତଃ ହିମୋଫିଲିଆକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ହେମୋଫିଲିଆ-ଏ, ହେମୋଫିଲିଆ-ବି ଓ ସି । ବର୍ତ୍ତମାନ ଦେଖା ଯାଉଥିବା ହେମୋଫିଲିଆ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦ ଭାଗ ଟାଇପ୍-ଏ ବର୍ଗର । ରକ୍ତରେ \”ଥ୍ରୋମ୍ବୋପ୍ଲାଷ୍ଟିନ୍\’ ନାମକ ଉପାଦନ କମ୍ ହେଲେ ହିମୋଫିଲିଆ ବା ରକ୍ତସ୍ରାବ ନାମକ ରୋଗ ହୋଇଥାଏ । ଏହା ଏକ ଆନୁବଂଶିକ ରୋଗ । ଏହି ରୋଗର ଶିକାର ହେଉଥିବା ରୋଗୀ ଶରୀରର ବାହ୍ୟ ଅଂଶରେ ରକ୍ତ ବାହାରିଲେ ତାହା ସହଜରେ ଜମାଟ ବାନ୍ଧି ନଥାଏ । ଫଳରେ ରୋଗୀ ଶରୀରରେ ଥରେ କ୍ଷତ କିମ୍ବା ଚୋଟ ସୃଷ୍ଟି ହେଲେ ରକ୍ତସ୍ରାବ କମିନଥାଏ । ଏହାଦ୍ୱାରା ରୋଗୀ ରକ୍ତ ହରାଇ ଦୁର୍ବଳ ହୋଇ ପଡ଼ିଥାଏ । ଶରୀରରେ ନୀଳ ଦାଗ ଦେଖାଦେବା, ନାକ ଓ ଆଖିରୁ ରକ୍ତ ବାହାରିବା ଏହି ରୋଗର ଲକ୍ଷଣ ।
ଅନେକ ହୁଏତ ଜାଣି ନାହାଁନ୍ତି ହେମୋଫିଲିଆ ଏକ ମାରାତ୍ମକ ରୋଗ । ଚିକିତ୍ସା ବିଜ୍ଞାନରେ ଯଥେଷ୍ଟ ଉନ୍ନତି ଘଟିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହି ରକ୍ତଜନିିତ ରୋଗରେ ଜଣେ ପୀଡ଼ିତ ହୋଇ ସଠିକ୍ ଚିକିତ୍ସାରୁ ବଂôଚତ ହୋଇଥାନ୍ତି । ଆଉ ଏହା ପାଇଁ ଦାୟୀ ହେଉଛି ସଚେତନତା । ହେମୋଫିଲିଆ ପରି ରୋଗରୁ ଉପଶମ ପାଇବା ଲାଗି ଏହାର ଠିକ୍ ଉପାୟରେ ଚିକିତ୍ସା କରାଯିବା ଦରକାର । ୱାର୍ଲଡ଼ ଫେଡ଼େରେସନ ଅଫ ହେମୋଫିଲିଆ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
୧୯୮୯ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ ଅପ୍ରେଲ ସତରରେ ବିଶ୍ୱ ହେମୋଫିଲିଆ ଦିବସ ପାଳିତ ହୋଇଆସୁଅଛି । କିନ୍ତୁ ଏପରି ଦିନରେ ଉକ୍ତ ଦିବସ ପାଳିତ ହେବାପଛରେ ଏହାର ତାତ୍ପର୍ଯ୍ୟତା ରହିଛି । ଅପ୍ରେଲ ସତର ହେଉଛି ୱାର୍ଲଡ଼ ଫେଡ଼େରସନ ଅଫ୍ ହେମୋଫିଲିଆର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲଙ୍କ ଜନ୍ମଦିନ । ସମଗ୍ର ବିଶ୍ୱରେ ବିଶେଷକରି ପିଲାମାନଙ୍କ ଠାରେ ଏପରି ରୋଗର ଭୟବହତାକୁ ପ୍ରତିହତ କରିବା ପାଇଁ ଉଦ୍ୟମ କରିଥିଲେ ଫ୍ରାଙ୍କ୍ ସ୍ନାବେଲ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପାଖାପାଖି ୮୦ ପ୍ରତିଶତ ହେମୋଫିଲିଆରୁ ରୋଗୀ ସଠିକ୍ ଓ ଉପଯୁକ୍ତ ଚିକିତ୍ସା ପାଇପାରି ନଥାନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଜନସଚେତନତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିିଛି । ଏହି ରୋଗରେ ପ୍ରାୟ ପୁରୁଷମାନେ ଆକ୍ରାନ୍ତ ହେବାର ଦେଖିବାକୁ ମିଳିଥାଏ । ଏହାକୁ ଏକ ବଂଶଗତ ରୋଗ କହିଲେ ଅତ୍ୟୁକ୍ତି ହେବନାହିଁ ।
ସାଧାରଣତଃ ଦେଖିବାକୁ ଗଲେ ମହିଳାଙ୍କ ଠାରେ ଏହି ରୋଗ ପ୍ରାୟ ହୁଏନାହିଁ । ଯଦି କୌଣସି ମହିଳାଙ୍କ ପରିବାରରେ କିମ୍ବା ତାଙ୍କ ମାମୁ ଘରେ କାହାକୁ ଏହି ରୋଗ ହୋଇଥାଏ ତେବେ ତାଙ୍କୁ ହେବାର ଆଶଙ୍କା ରହିଛି । ହିମୋଫିଲିଆ ହେବା ଦ୍ୱାରା କୌଣସି ସ୍ଥାନରେ ଯଦି ଖଣ୍ଡିଆ ହୋଇଯାଏ ତେବେ ସେଠାରୁ ଅନବରତ ରକ୍ତସ୍ରାବ ହୋଇଥାଏ ସମ୍ପୃକ୍ତ ବ୍ୟକ୍ତି ଯଦି ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି ତେବେ ତାଙ୍କ ରକ୍ତ ଜମାଟ ବାନ୍ଧେ ନାହିଁ । ସଂପ୍ରତି ସମାଜରେ ଏହାର ଭୟାବହତା ଦେଖା ଦେଇଥିବା ବେଳେ ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷିତ ବ୍ୟକ୍ତିମାନେ ଏ ବିଷୟରେ ଅଳ୍ପ ବହୁତ ଜାଣିଥିବାବେଳେ ଅନେକ ଏହାର କାରଣ ଓ ସଚେତନତା ସମ୍ପର୍କରେ ଜାଣିନଥାନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପ୍ରତି ଏହାର ଦୃଢ଼ ମୁକାବିଲା ପାଇଁ ସଚେତନତା ସହ ରାଜ୍ୟର ବଡ଼ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ନିରୀକ୍ଷା ଓ ମାଗଣା ଔଷଧ ପ୍ରଦାନର ପର୍ଯ୍ୟାପ୍ତ ବ୍ୟବସ୍ଥା ରଖିଛନ୍ତି । ଏ ରୋଗର ଶିକାର ହୋଇଥିବା ଜଣେ ରୋଗୀ ଏ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ।
ପ୍ରଥମରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ଏହା ପରବର୍ତୀ ସମୟରେ ରୋଗଟି ଆୟତାଧୀନ ହୋଇ ପାରିବ । ନିକଟରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ହେମାଟୋଲୋଜି ବିଭାଗ ତରଫରୁ ହେମୋଫିଲିଆ ରୋଗୀଙ୍କ ପାଇଁ ଦିବସବ୍ୟାପୀ ଆଲୋଚନାଚକ୍ର ଓ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତର ହେମୋଫିଲିଆ ଫେଡେରେସନର ଜାତୀୟ ସଭାପତି ବିକାଶ ଚନ୍ଦ୍ର ଗୋଏଲ ଓ ଉପସଭାପତି ମୁକେଶ ଗରୋଡିଆ, ରାଜ୍ୟ ହେମୋଫିଲିଆ ସୋସାଇଟି ପକ୍ଷରୁ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗ ଦେବା ସହ ଏହି ଅବସରରେ ହେମୋଫିଲିଆ ରୋଗୀଙ୍କ ଘରେ ଚିକିତ୍ସା (ହୋମ ଟ୍ରିଟମେଣ୍ଟ) ଉପରେ ଆଲୋଚନା ଅନୁଷ୍ଠିତ ହୋଇ ଥିଲା । ଏହି ଚିକିତ୍ସା ବିଷୟରେ ଆଲୋକପାତ କରି ଥିଲେ ବିକାଶ ଚନ୍ଦ୍ର ଗୋଏଲ, ମୁକେଶ ଗରୋଡ଼ିଆ ଓ ରକ୍ତ ବିଭାଗର ବିଶିଷ୍ଟ ଚିକିତ୍ସକ ଡାକ୍ତର ନରେଶ ପଟ୍ଟନାୟକ, ଡାକ୍ତର ରାଜୀବ ନାୟକ ପ୍ରମୁ୍ଖ । ଓଡ଼ିଶା ହେଉଛି ସମଗ୍ର ଭାରତ ବର୍ଷ ଭିତରେ ପ୍ରଥମ ରାଜ୍ୟ ଯେଉଁ ଠାରେ କି ହେମୋଫିଲିଆ ରୋଗର ହୋମ ଟ୍ରିଟ୍ମେଣ୍ଟକୁ ଓଡ଼ିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଓଡ଼ିଶା ମଡ଼େଲକୁ ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରିବା ପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ରକ୍ତ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ରାଜୀବ ନାୟକ ଆସନ୍ତା ସତର ତାରିଖରେ ନୂଆ ଦିଲ୍ଲୀ ଠାରେ ଏକ ସର୍ବଭାରତୀୟ ସମ୍ମିଳନୀରେ ଉପସ୍ଥାପନ କରିବେ । ଚିକିତ୍ସା ବେଳେ ରୋଗୀଟିକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏବଂ ସଫାସୁତୁରା ପରିବେଶରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ । ଠିକ୍ ସମୟରେ ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ଖାଇବା ସହ ବିଶ୍ରାମ ନେଲେ ହେମୋଫିଲିଆକୁ ନେଇ ଆଉ କୌଣସି ଡର ରହିବ ନାହିଁ ।