ବିକାନେର୍ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ : ୪ ମୃତ, ୨୦ ଆହତ
୮ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷିତ
କୋଲ୍କାତା: ‘କମିସନ୍ ଅଫ୍ ରେଲ୍ୱେ ସେଫ୍ଟି’ ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ଘଟିଥିବା ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବ ବୋଲି ଆଦେଶ ଜାରି ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ‘କମିସନ୍ ଅଫ୍ ରେଲ୍ୱେ ସେଫ୍ଟି’ ହେଉଛି ସାଙ୍ଘାତିକ ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ଭାରତୀୟ ରେଳ ସୁରକ୍ଷା କର୍ତୃପକ୍ଷ । ରାଜସ୍ଥାନର ବିକାନେର୍ରୁ ଯାତ୍ରା ଆରମ୍ଭ କରିଥିବା ବିକାନେର୍ ଏକ୍ସପ୍ରେସ୍ (୧୫୬୩୩) ପାଟଣା ଦେଇ ଆସାମର ଗୌହାଟିକୁ ଯାଉଥିବା ବେଳେ ଗୁରୁବାର ସନ୍ଧ୍ୟା ପ୍ରାୟ ୫.୧୫ରେ ଜଳପାଇଗୁଡ଼ି ଅନ୍ତର୍ଗତ ମୈନାଗୁଡ଼ି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟେନ୍ଟି ଧାରଣାଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ବିକାନେର୍ରୁ ୧୭୭ ଏବଂ ପାଟଣା ଜଙ୍କ୍ସନ୍ରୁ ୯୮ ଜଣ ଯାତ୍ରୀଙ୍କ ସମେତ ୧୨୦୦ ଯାତ୍ରୀ ଥିବା ଉକ୍ତ ଟ୍ରେନ୍ର ପ୍ରାୟ ୧୨ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତ ଯାତ୍ରୀମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ, ସାଙ୍ଘାତିକ ଆହତ ଯାତ୍ରୀମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ସାମାନ୍ୟ ଆହତ ଯାତ୍ରୀମାନଙ୍କ ନିମନ୍ତେ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷିତ ହୋଇଛି ।
ଘଟଣାରେ ମର୍ମାହତ ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି, ମୈନାଗୁଡ଼ିରେ ବିକାନେର୍-ଗୌହାଟି ଏକ୍ସପ୍ରେସ୍ର ଦୁଃଖଦ ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ମର୍ମାହତ । ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ, ଉତରବଙ୍ଗର ଡି.ଏମ୍./ଏସ୍ପି/ଆଇଜିମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରୁଛନ୍ତି । ଯଥା ଶୀଘ୍ର ସମ୍ଭବ ଆହତମାନଙ୍କୁ ଡାକ୍ତରୀ ଚିକିତ୍ସା ମିଳିବ । ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼େ ମଧ୍ୟ ବିକାନେର୍-ଗୌହାଟି ଏକ୍ସପ୍ରେସ୍ ଦୁର୍ଘଟଣା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି । ଧାରଣାଚ୍ୟୁତି ଯୋଗୁଁ ଭାରତୀୟ ରେଳବାଇ ୯ଟି ଟ୍ରେନ୍ର ଯାତ୍ରା ପଥ ପରିବର୍ତନ କରିଛନ୍ତି । ଇଷ୍ଟର୍ଣ୍ଣ ରେଲ୍ୱେ ରାଜସ୍ଥାନ ଲାଗି ୦୧୫୧୨୭୨୫୯୪୨, ଆସାମ ଲାଗି ୦୩୬୧-୨୭୩୧୬୨୧, ୨୭୩୧୬୨୨, ୨୭୩୧୬୨୩ ଏବଂ ପଶ୍ଚିମବଙ୍ଗ ପାଇଁ ୮୧୩୪୦୫୪୯୯୯ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି । ଘଟଣାସ୍ଥଳରେ ପ୍ରାୟ ୫୧ଟି ଆମ୍ବୁଲାନ୍ସ୍ ରହିଛି । ରେଲ୍ୱେ ଡିଭିଜ୍ନାଲ୍ ମ୍ୟାନେଜର୍ ଦିଲୀପ କୁମାର ସିଂହଙ୍କ ସମେତ କେତେକ ଶୀର୍ଷସ୍ତରୀୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।