ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର

ନୂଆଦିଲ୍ଲୀ : ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦର ଘରୋଇକରଣ ଲାଗି ନିଷ୍ପତି ହୋଇଛି । ଏନେଇ ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି କେ ସିଂ ଜଣାଇଛନ୍ତି। ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ବୋର୍ଡର ୧୯୦ତମ ବୈଠକରେ ଭୁବନେଶ୍ୱର ସମେତ ବନାରସ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚୀ ବିମାନବନ୍ଦରର ଘରୋଇକରଣ ନିଷ୍ପତି ହୋଇଥିଲା। ପିପିପି ପକ୍ରିୟାରେ ବିମାନବନ୍ଦର ପରିଚାଳନା ଓ ବିକାଶ କାର୍ଯ୍ୟ ହାତକୁ ନିଆଯିବ। ବିଶ୍ୱ ମାନଚିତ୍ରରେ ଓଡ଼ିଶା ଏକ ବୃହତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ପୁରୀ, କୋଣାର୍କ, ଚିଲିକା, ଭିତରକନିକା ଆଦି ଅଞ୍ଚଳକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ବାଙ୍ଗାଲୋର ଆନ୍ତର୍ଜାତିକ ବିମାନବନ୍ଦର ଭଳି ଭୁବନେଶ୍ୱର ବିମାନବନ୍ଦର ବିକାଶ କେନ୍ଦ୍ର ସରକାର କରିବା ଆବଶ୍ୟକ ବୋଲି ସାଂସଦ ସୁବାସ ଚନ୍ଦ୍ର ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି।
କେନ୍ଦ୍ର ରାଷ୍ଟ୍ରମନ୍ତୀଙ୍କ ସୂଚନା ଅନୁସାରେ ୨୦୦୬ରେ ଦିଲ୍ଲୀ ଓ ମୁମ୍ବାଇ, ୨୦୧୮-୧୯ରେ ଅହମଦାବାଦ, ଜୟପୁର, ଲକ୍ଷ୍ନୌ, ଗୌହାଟୀ, ତ୍ରିଭେନ୍ଦ୍ରମ ଓ ମାଙ୍ଗାଲୋର୍ ବିମାନ ବନ୍ଦରକୁ ଏଏଆଇ ପକ୍ଷରୁ ପିପିପି ମୋଡରେ କାର୍ଯ୍ୟବାହୀ, ପରିଚାଳନା ଓ ବିକାଶ ପାଇଁ ଲିଜ୍ରେ ଦିଆଯାଇଛି।