ଦେବାଳିଆ ଅବସ୍ଥାରେ ଶ୍ରୀଲଙ୍କା! ୧୧.୧% ସହ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ବର୍ତ୍ତମାନ ଏକ ଗଭୀର ଅର୍ଥନୈତିକ ଏବଂ ମାନବିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କା ପ୍ରାୟ ଦେବାଳିଆ ଅବସ୍ଥାରେ ଅଛି। ମିଡିଆ ରିପୋର୍ଟ ଅନୁଯାୟୀ, ୧୧.୧ ପ୍ରତିଶତ ସହ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି। କେବଳ ଏତିକି ନୁହେଁ, ସେଠାକାର ଲୋକମାନେ ମହଙ୍ଗା ମାଡର ସମ୍ମୁଖୀନ ହେଉଛନ୍ତି। ଶ୍ରୀଲଙ୍କାର ଆଡ଼ଭୋକାଟା ଇନ୍ଷ୍ଟିଚ୍ୟୁଟ୍ ମୁଦ୍ରାସ୍ଫୀତି ସମ୍ପର୍କରେ ତଥ୍ୟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ, ଏକ ମାସରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି।
ଗତବର୍ଷ ଅଗଷ୍ଟ ୩୦ରେ ଶ୍ରୀଲଙ୍କା ଜାତୀୟ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ମୁଦ୍ରା ମୂଲ୍ୟରେ ତୀବ୍ର ହ୍ରାସ ପାଇବା ପରେ ଏବଂ ଖାଦ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ପରେ ସେଠାକାର ସରକାର ଜାତୀୟ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଚୀନ୍ ସମେତ ଅନେକ ଦେଶରୁ ନିଆଯାଇଥିବା ଋଣ ପରିଶୋଧ କରିବାରେ ଶ୍ରୀଲଙ୍କା ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ଫଳରେ ଏବେ ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ଆଡ଼ଭୋକାଟା ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୧ରୁ ଡିସେମ୍ବର ୨୦୨୧ ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ପଦାର୍ଥର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଶ୍ରୀଲଙ୍କାରେ ମାସେ ତଳେ ୧୦୦ ଗ୍ରାମ ଲଙ୍କାର ମୂଲ୍ୟ ୧୮ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୭୧ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏକ କିଲୋଗ୍ରାମ ଲଙ୍କାର ମୂଲ୍ୟ ୭୧୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ମାସରେ ଲଙ୍କାର ମୂଲ୍ୟ ୨୮୭ ପ୍ରତିଶତ ବୃଦ୍ଧି ପାଇଛି। ଶ୍ରୀଲଙ୍କାରେ ଲଙ୍କା ବ୍ୟତୀତ କଦଳୀ ଦର ୫୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପିଆଜର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଆମଦାନୀ ଅଭାବରୁ ଲୋକମାନେ ଏଠାରେ କ୍ଷୀର ପାଉଡ ମଧ୍ୟ ପାଇପାରୁ ନାହାନ୍ତି। ଶ୍ରୀଲଙ୍କାରେ ପ୍ରାୟ ସମସ୍ତ ପରିବାର ଦର ତିନି ଅଙ୍କ ଟପିଛି। ଏକ କିଲୋଗ୍ରାମ ଆଳୁ, ଟମାଟୋ, ଭେଣ୍ଡି, ଗାଜରର ମୂଲ୍ୟ ୨୦୦ ଲେଖାଏଁ ରହିଛି। ବିନ୍ସ କିଲୋ ୩୨୦, ବାଇଗଣ ୧୬୦ ଓ କୋବି ୨୪୦ ଟଙ୍କାରେ ବିକ୍ରି ହେଉଛି।
କଲମ୍ବୋ ଗେଜେଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧିର ଏକ ବଡ଼ ଭାଗରେ ଶ୍ରୀଲଙ୍କା ଦ୍ୱିଗୁଣ କ୍ଷତିର ସମ୍ମୁଖୀନ ହୋଇଛି। ଗୋଟିଏ ହେଉଛି ଆର୍ଥିକ କ୍ଷତି ଏବଂ ଅନ୍ୟଟି ହେଉଛି ବ୍ୟବସାୟିକ କ୍ଷତି। ୨୦୧୪ ମସିହାରୁ ଶ୍ରୀଲଙ୍କାରେ ବୈଦେଶିକ ଋଣର ଭାର ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଅନ୍ୟଦେଶ ତୁଳନାରେ ବିଶେଷ କରି ଚୀନ ଠାରୁ ଅଧିକ ପରିମାଣର ଋଣ ନେଇଛି। ୨୦୧୯ ମସିହାରେ ଏହି ଋଣ ଦେଶର ଜିଡିପିର ୪୨.୬ ପ୍ରତିଶତରେ ପହଞ୍ଚିଛି। ପ୍ରାୟ ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଏକ ଅଦୃଶ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ନଭେମ୍ବର ଶେଷ ସୁଦ୍ଧା ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ୧.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଶ୍ରୀଲଙ୍କାର ବିରୋଧୀଦଳର ନେତା ତଥା ଅର୍ଥନୀତିଜ୍ଞ ହର୍ଷ ଦା ସିଲଭା କହିଛନ୍ତି ଯେ, ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଯଦି ଏହା ଜାରି ରହେ, ତେବେ ଆମଦାନୀ ବନ୍ଦ ହୋଇଯିବ, ସମଗ୍ର ଆଇଟି ସିଷ୍ଟମ ବନ୍ଦ ହୋଇଯିବ, ଏପରିକି ଆମେ ଗୁଗୁଲ୍ ମ୍ୟାପ୍ସ ବ୍ୟବହାର କରିବାରେ ମଧ୍ୟ ସମର୍ଥ ହେବୁ ନାହିଁ କାରଣ ଆମେ ଏହାର ଦେୟ ଦେବାର ସ୍ଥିତିରେ ନାହୁଁ।