ବାଲେଶ୍ୱର ଇମାମୀ ନଗରରେ ସୁନାବେଶ ସୁନାବେଶ, ଶ୍ରଦ୍ଧାଳୁଙ୍କ ସମାବେଶ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗରସ୍ଥ ଜଗନ୍ନାଥ ମନ୍ଦିରରେ ରବିବାର ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ୮ଟା ୩୦ମିନିଟ୍ ସମୟରେ ଶ୍ରୀଜୀଉମାନେ ସୁସଜ୍ଜିତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ଜଣାପଡ଼ିଛି । ଅନୁରୂପ ଭାବେ ଆଜି ପବିତ୍ର ବାହୁଡ଼ା ଏକାଦଶୀରେ ମନ୍ଦିର ମଧ୍ୟରେ ଶ୍ରୀ ଗଣେଶଜୀ ମହାରାଜ, ଶ୍ରୀ ହନୁମାନଜୀ ମହାରାଜ, ମାତା ଗଜଲକ୍ଷ୍ମୀ, ଶ୍ରୀ କାଶୀ ବିଶ୍ୱନାଥଜୀ ମହାରାଜ ଓ ମାତା ବିମଳା ମଧ୍ୟ ସ୍ୱତନ୍ତ୍ରଭାବେ ସ୍ୱର୍ଣ୍ଣାଳଙ୍କାରରେ ସୁସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିବାବେଳେ ମନ୍ଦିରବେଢ଼ା ହଜାର ହଜାର ଭକ୍ତଙ୍କ ସମାଗମରେ ବେଶ୍ ଉତ୍ସବମୁଖର ହୋଇ ଉଠିଥିବା ଜଣାପଡ଼ିଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ତଥା ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଳ ରଞ୍ଜନ ଦାସସାମନ୍ତରାୟ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିବାବେଳେ ମନ୍ଦିର ବେଢ଼ାରେ ଆଲୋକସଜ୍ଜା ଓ ପୁଷ୍ପସଜ୍ଜା ଭକ୍ତମାନଙ୍କ ମନରେ ବେଶ୍ ଭାବବିହ୍ୱଳ ଆବେଗପୂର୍ଣ୍ଣ ଜଗନ୍ନାଥମୟ ଉଦ୍ଦୀପନା ସୃଷ୍ଟି କରିଥିଲା । ଇମାମୀ ଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ ତଥା ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ସୁଶୀଲ କୁମାର ଗୋୟେଙ୍କା ତଥା ସ୍ଥାନୀୟ କାଗଜକଳର ସଭାପତି ଆଶୀଷ ଅବିନାଶ ଗୁପ୍ତା, ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ଇମାମୀ କାଗଜକଳର ବହୁ ପଦାଧିକାରୀ, କର୍ମକର୍ତ୍ତା ତଥା ଇମାମୀ କଲୋନୀସ୍ଥିତ ଲେଡିଜ୍ କ୍ଲବ୍ର ସଦସ୍ୟମାନେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରଥଯାତ୍ରା ଉତ୍ସବ ସୁଚାରୁ ରୂପେ ସମାପନ ହୋଇଥିବାରୁ ସମସ୍ତ କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ପୋଲିସ୍ ପ୍ରଶାସନ, ସ୍ୱାସ୍ଥ୍ୟ ଅଧିକାରୀ, ଅଗ୍ନିସେବା ସଂସ୍ଥାନ, ସତ୍ୟସାଇ ସେବା ସଂଗଠନ, ଇମାମୀ ଲେଡ଼ିଜ୍ କ୍ଲବ୍ର ସଦସ୍ୟାଗଣ, ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁ ତଥା ବିଭିନ୍ନ ସଂଗଠନ ତରଫରୁ ସହଯୋଗ କରିଥିବା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ପ୍ରେସ୍ ବିବୃତ୍ତିରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।