ବାଲେଶ୍ୱର ଜିଲାରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଲେ ୧୮୫ ଉଚ୍ଚ ବିଦ୍ୟାଳୟ
ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଶନିବାର ଜିଲାର ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଭୁକ୍ତ ୧୮୫ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ବହୁ ଉପାଦେୟ ୫-ଟି ଯୋଜନାର ଆଭିମୁଖ୍ୟ ତଥା ଜିଲାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପରିବେଶ, ଇ-ପାଠାଗାର, ବିଜ୍ଞାନାଗାର, ସ୍ମାର୍ଟ ଶ୍ରେଣୀଗୃହ, ଖେଳପଡ଼ିଆ, ପାନୀୟ ଜଳର ବ୍ୟବସ୍ଥା ଏବଂ ଶୌଚାଳୟ ଇତ୍ୟାଦିକୁ ୫-ଟି ମାଧ୍ୟମରେ ଗୁରୁତ୍ୱ ଦେଇ ଶିକ୍ଷାଦାନର ମାନଦଣ୍ଡକୁ ଉନ୍ନତମାନର କରାଯାଇପାରିବ ବୋଲି ଶ୍ରୀ ଶିନ୍ଦେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପ୍ରତି ସମାଜର କର୍ତ୍ତବ୍ୟ, ଦାୟିତ୍ୱ ଓ ଯୋଗଦାନ ପରସ୍ପରକୁ ନିକଟତର କରାଇବାର ପ୍ରୟାସ ୫-ଟି ଜରିଆରେ ହୋଇପାରିବ ଏବଂ ଆଗାମୀ ପିଢ଼ି ଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ଦେଖିବେ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରୀ ଶିନ୍ଦେ ତାଙ୍କ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏହି ଅବସରରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରଣରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ଫକୀରମୋହନ ମେଡ଼ିକାଲ କଲେଜ ପ୍ରବନ୍ଧକ ମନୋରମା ଭୂୟାଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀବୃନ୍ଦ, ଗୋଷ୍ଠୀ ଶିକ୍ଷାଧିକାରୀବୃନ୍ଦ ଏବଂ ବାଲେଶ୍ୱର ଜିଲା ‘ମୋ ସ୍କୁଲ’ ଟିମର ସଂଯୋଜକ ସନ୍ଦୀପ କୁମାର ଖଟୁଆ ଏବଂ ସଦସ୍ୟ ଶାଶ୍ୱତ ମହାପାତ୍ର, ନରେନ୍ଦ୍ର ଅଗସ୍ତି, ଶିବ ନାରାୟଣ ମିଶ୍ର, କମଳ ବିଶ୍ୱାଳ, ପ୍ରଭାତ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ । ଅତିରିକ୍ତ ଜିଲାଶିକ୍ଷାଧିକାରୀ ଧରଣୀଧର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା ।