ବାଲେଶ୍ୱର : ଶୋଭାରମପୁର ଓଭରବ୍ରିଜ ଛକରେ ଲାଗିଲା ସିସିଟିଭି କ୍ୟାମେରା

ବାଲେଶ୍ୱର : ବାଲେଶ୍ୱର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ସହଯୋଗ’ ଅଭିଯାନରେ ଟ୍ରାଫିକ ବ୍ୟବସ୍ଥା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକମାନଙ୍କରେ ଲଗାଯାଉଛି ସିସିଟିଭି କ୍ୟାମେରା । ଏହି କ୍ରମରେ ସହରର ଶୋଭାରମପୁର ଓଭରବ୍ରିଜ ଛକ ବା ଖିମ୍ଜୀ ଛକ ଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଉଦଘାଟନ କରାଯାଇଛି ।

ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଏହି ବ୍ୟବସ୍ଥାର ଉଦ୍ଘାଟନ କରିବା ସହିତ ‘ପ୍ରୋଜେକ୍ଟ ସହଯୋଗ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରାଉଡ୍ ଫଣ୍ଡିଂ ଜରିଆରେ ବାଲେଶ୍ୱର ସହରର ସାଧାରଣ ଜନତାଙ୍କ ଦ୍ୱାରା ମିଳିତ ଭାବେ କିଛି କିଛି ଛକମାନଙ୍କରେ ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ କ୍ୟାମେରା ବାଲେଶ୍ୱର ଟ୍ରାଫିକ ଥାନାର କେନ୍ଦ୍ରୀୟ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହିତ ସଂଯୁକ୍ତ କରାଯିବ । ଏଥିପାଇଁ ବାଲେଶ୍ୱରର ଅଗ୍ରଣୀ ବ୍ରଡ୍ବ୍ୟାଣ୍ଡ ସେବା ପ୍ରଦାନ କାରୀ ସଂସ୍ଥା ଓଡ଼ି ନେଟ ଇନ୍ଫକମ୍ର ଫାଇବର ନେଟୱାର୍କ ବ୍ୟବହାର କରାଯାଉଛି । ଖିମ୍ଜୀ ଛକରେ ଲଗାଯାଇଥିବା ସିସିଟିଭି କ୍ୟାମେରା ପାଇଁ ସେହିକ୍ରମରେ ଅନନ୍ତ ଅନଙ୍ଗ ସୋସିଆଲ୍ ଏକ୍ସନ୍ ଟ୍ରଷ୍ଟ ସହଯୋଗ ପ୍ରଦାନ କରିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଟ୍ରଷ୍ଟ ପକ୍ଷରୁ ୪ ଗୋଟି ୮ ମେଗା ପିକ୍ସେଲ୍ କ୍ୟାମେରା ପ୍ରଦାନ କରାଯାଇଥିବା ବେଳେ ଏହା ଦ୍ୱାରା ସହଜରେ ଅପରାଧ ନିୟନ୍ତ୍ରଣ ହୋଇ ପାରିବ ବୋଲି ଟ୍ରଷ୍ଟର ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି ସୂଚନା ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ବାଲେଶ୍ୱର ପୋଲିସକୁ ଟ୍ରଷ୍ଟ ପକ୍ଷରୁ ସହଯୋଗ ପ୍ରଦାନ ଜାରି ରହିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଆଡ଼ିସ୍ନାଲ ଏସ୍ପି ପ୍ରଦୀପ କୁମାର ଦଳେଇ, ଡିଏସ୍ପି ଆଲୋକ ରଞ୍ଜନ ରାୟ, ଡିଆଇବି ଡିଏସ୍ପି ବ୍ରଜେଶ୍ୱରୀ ବଳ, ସିଟି ଡିଏସ୍ପି ଗାୟତ୍ରୀବାଳା ପ୍ରଧାନ, ଡିଏସ୍ପି ବ୍ରଜମୋହନ ପ୍ରଧାନ, ସହଦେବଖୁଣ୍ଟା ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି, ଶିଳ୍ପାଞ୍ଚଳ ଥାନା ଆଇଆଇସି ଘନଶ୍ୟାମ ବେହେରା, ସଦର ଥାନା ଆଇଆଇସି ଜୟନ୍ତ କୁମାର ବେହେରା, ଟାଉନ୍ ଥାନା ଆଇଆଇସି ବାରୁଣି ଦାସ, ଟ୍ରଷ୍ଟ୍ର ସଦସ୍ୟ ଦିବ୍ୟଜ୍ୟୋତି ମହାନ୍ତି, ଜ୍ୟୋତିରାଦିତ୍ୟ ମହାନ୍ତି ଏବଂ ଓଡିନେଟ୍ର ନିର୍ଦ୍ଦେଶକ ଦେବଜ୍ୟୋତି ଦାସ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।