ଜାମିନ୍ ଖାରଜ, ଜେଲ୍ ଗଲେ କୋଟିପତି ପିଏସ୍

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ସେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ଯାହା ଫଳରେ ତାଙ୍କୁ ୧୪ ଦିନ ପାଇଁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ଅଧିକ ଖୋଳତାଡ଼ ନିମନ୍ତେ ବିରଞ୍ଚିଙ୍କୁ ରିମାଣ୍ଡ୍ରେ ନେବା ପାଇଁ ଆବେଦନ କରିବ ଭିଜିଲାନ୍ସ ।
ବିରଞ୍ଚିଙ୍କ ଠାରୁ ଏପର୍ଯ୍ୟନ୍ତ ୩କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ବେଳେ ସେସବୁ ସମ୍ପତ୍ତିର ଯାଂଚ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ଆବଶ୍ୟକ ପଡ଼ିଲେ ଓଏସଏସସିର ସଦସ୍ୟମାନଙ୍କୁ ତଦନ୍ତରେ ସାମିଲ କରାଯିବ । ସେପଟେ ପିଏସ ବିରଞ୍ଜି ନାରାୟଣ ସାହୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି ଓଏସଏସସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ।