ଆଜି ଆସିବ ଅଗଷ୍ଟ ଗାଇଡ୍ ଲାଇନ୍

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଥିବା ଆଂଶିକ ଲକଡାଉନ୍ ଆଜି ୬ଟାରେ ଶେଷ ହେବ । ଫଳରେ ଶନିବାର ହିଁ ଅଗଷ୍ଟ ମାସ ପାଇଁ ଆସିବ ଗାଇଡଲାଇନ୍। ଅଗଷ୍ଟ ମାସ ପାଇଁ ଆଜି ଗାଇଡ୍ ଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର । ତେବେ ଅଗଷ୍ଟ ୧ରୁ ରାଜ୍ୟରେ ଅନଲକ୍ ଫର୍ମୁଲା କ’ଣ ହେବ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି । ରାଜ୍ୟର ଅଧିକାଂଶ ଜିଲାରେ କରୋନା ସଂକ୍ରମଣ କମିଥିଲେ ହେଁ ଖୋର୍ଦ୍ଧା, କଟକ, ପୁରୀ ଜିଲାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ତେଣୁ ଅଗଷ୍ଟ ମାସର ଗାଇଡାଲାଇନରେ କେଉଁ ଫର୍ମୁଲା ଅଣାଯିବ ତା ଉପରେ ବିଚାରବିମର୍ଶ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ।
ତେବେ ସାରା ରାଜ୍ୟରେ କୋଭିଡ୍ ନିୟମ ପାଳନ ସହ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇପାରନ୍ତି ସରକାର । ଦୈନିକ ସକ୍ରମଣ ୨ ପ୍ରତିଶତ ତଳେ ଥିବା ଜିଲାଗୁଡ଼ିକରେ ମଲ ଖୋଲିବା ପାଇଁ ମିଳିପାରେ ଅନୁମତି । ଏହା ସହିତ ଉପକୂଳ ୫ ଜିଲ୍ଲାରେ ଦୋକାନବଜାର ଖୋଲିବା ସମୟକୁ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଏହା ସହିତ ନାଇଟ କର୍ଫ୍ୟୁ ଏବଂ ସାପ୍ତାହିକ ସଟ ଡାଉନ ଜାରି ରହିପାରେ । ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ୧୫ ଦିନ ହେଲାଣି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ହଜାର ତଳେ ରହୁଛି । ପୂର୍ବରୁ ରାଜ୍ୟ ସରକାର ବସ ଚଳାଚଳ, ସ୍କୁଲ-କଲେଜ, ଜିମ, ଛୋଟ ଛୋଟ ସୋରୁମ, ଦୋକାନ ବଜାର ଖୋଲିବା ପାଇଁ ରାଜ୍ୟସରକାର ଅନୁମତି ଦେଇଛନ୍ତି । ତେଣୁ ଆଗକୁ ମନ୍ଦିର ଓ ବିଭିନ୍ନ ଧର୍ମାନୁଷ୍ଠାନ, ମଲ ଏବଂ ସିନୋମା ହଲ ଖୋଲିବାକୁ, ବିଭିନ୍ନ ସଂଗଠନ ଦାବି କରିଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର ଥିବାବେଳେ ଦେଶରେ କିନ୍ତୁ ସଂକ୍ରମଣ ବଢ଼ୁଛି। ସୂଚନା ଯେ, ମେ’ରୁ ଜୁଲାଇ ପର୍ଯ୍ୟନ୍ତ ବିଗତ ୩ ମାସ ଧରି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ଓ ଆଂଶିକ ଲକଡାଉନ୍ ଲାଗୁ ହୋଇଛି। କରୋନା ସଂକ୍ରମଣ କମୁଥିଲେ ବି ଦୈନିକ ପଜିଟିଭ୍ ଟ୍ରେଣ୍ଡ୍ ୧୬୦୦ରୁ ୨ହଜାର ମଧ୍ୟରେ ରହୁଛି। ସେହିପରି ଟିପିଆର୍ ୨ ତଳକୁ ଖସିନାହିଁ। ସେପଟେ ଅଗଷ୍ଟରୁ ଅକ୍ଟୋବର ଭିତରେ କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ । ତେଣୁ ରାଜ୍ୟର ଦୈନିକ ସଂକ୍ରମଣ ହାର, ଲୋକଙ୍କ କୋଭିଡ ନିୟମ ଅନୁପାଳନ ଏବଂ କେସ ଲୋଡ ଦେଖି ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନେବେ ସରକାର । କଟକ ଏବଂ ଖୋର୍ଦ୍ଧାରେ ଅନଲକ ହେବାର ସମ୍ଭାବନା ନାହିଁ । ସଂକ୍ରମଣ କମୁନଥିବାରୁ କଟକଣା ବିଶେଷ କୋହଳ ହୋଇନପାରେ ।