ଇସ୍ପାତ ଜେନେରାଲ ହସ୍ପିଟାଲରେ ଦଲାଲ ରାଜ୍, ରୋଗୀଙ୍କୁ ମିଳୁନି
ଉପଯୁକ୍ତ ଚିକିତ୍ସା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଘରୋଇ ସଂସ୍ଥା ହାତରେ ଟେକି ଦିଆଗଲା
ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା ଡାକ୍ତରଖାନା ଆଇଜିଏଚରେ ଏବେ ଦଲାଲ ରାଜ ବଢି ଚାଲିଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହେବା ସହ ସେମାନଙ୍କ ପରିବାର ବର୍ଗ ହା ହା କାର ଡାକିଲେଣି । ଦଲାଲ୍ ମାନଙ୍କର ଏହି ଡାକ୍ତରଖାନା ଭିତରକୁ ମନଇଛା ପ୍ରବେଶ ସେବାରେ ଥିବା ରୋଗୀ ମାନଙ୍କ ଲାଗି ନାନା ସମସ୍ୟାର କାରଣ ଓ ସେବା ଏଠାରେ ବ୍ୟବସାୟ ସାଜିଥିବା ଅଭିଯୋଗ ହେଉଛି । ଏତିକି ବେଳେ ସେଲ୍ ତରଫରୁ ତିଆରି ହୋଇଥିବା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଘରୋଇ ସଂସ୍ଥା ହାତରେ ଟେକିଦେବା ଘଟଣା ସେଲ୍ ର ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କୁ ଚକିତ କରିଛି । ରାଉରକେଲା ସହରରେ ଥିବା ଆଇଜିଏଚ ଡାକ୍ତରଖାନା ଲାଗି ସେଲ୍ ଅନେକ ଅର୍ଥ ବିନିଯୋଗ କରୁଛି । ଏହାର ଅନେକ ସୁନାମ ରହିଥିବା ବେଳେ ଏହାର ସୁନାମକୁ ଧିରେ ଧିରେ ଦଲାଲ ମାନେ ନଷ୍ଟ କରିବାରେ ଲାଗିଛନ୍ତି, କିନ୍ତୁ ଏହାର ପ୍ରଶାସନିକ ବ୍ୟବସ୍ଥା ଏ ଦିଗରେ ସମ୍ପୂର୍ଣ୍ଣ ନୀରବ । ଏଠାରେ ଘରୋଇ ଓ କାରଖାନାର କର୍ମଚାରୀଙ୍କୁ ସେବା ମିଳିଥାଏ, କାରଖାନାର କର୍ମଚାରୀ ମାନେ ମାଗଣା ଓ ବାହାର ରୋଗୀ ଟଙ୍କା ଖର୍ଚ୍ଚ କରି ସେବା ପାଇଥାନ୍ତି । ତେବେ ଏଠାରେ ଆଡମିଟ ହେଉଥିବା ରୋଗୀ ମାନଙ୍କ ଲାଗି ଡାକ୍ତର ଯେଉଁ ମେଡିସିନ ମାନ ଲେଖୁଛନ୍ତି ସେସବୁ ବାହାର ମେଡିସିନ ଦୋକାନରୁ ଆଣିବାକୁ ପ୍ରାୟ ପଡିଥାଏ । ମେଡିସିନ ଆଣି ରୋଗୀଙ୍କ ଲୋକ ରଖିବା ପରେ ସେମାନଙ୍କର ଅନୁପସ୍ଥିତର ସୁଯୋଗ ନେଇ, ଇସ୍ପାତ ମାର୍କେଟ ଅଂଚଳରେ ଥିବା କିଛି ମେଡିସିନ ଷ୍ଟୋର ର ଦଲାଲ ମାନେ ସେହି ମେଡିସିନ ଗୁଡିକୁ ଚୋରୀ କରିନେଉଥିବାର ଅଭିଯୋଗ ହେଉଛି । ନାନା ପ୍ରକାର ମେଡିସିନ ଓ ସାଲାଇନ ମାନ ଏଠାରୁ ନିୟମିତ ପ୍ରତି ରୋଗୀ ପାଖରୁ ଚୋରୀ ହେଉଛି । ଫଳରେ ସେହି ମେଡିସିନ ଗୁଡିକୁ ରୋଗୀ ମାନେ ପୁର୍ନବାର କିଣୁଛନ୍ତି । ଏହାଦ୍ୱାରା ଗୋଟାଏ ରୋଗୀ ଚିକିତ୍ସା ହେବା ଲାଗି ଯାହା ଖର୍ଚ୍ଚ ହେବା କଥା ତାହା ବଢିଯାଇ ତାର ପରିବାର ବର୍ଗଙ୍କୁ ନାନା ସମସ୍ୟାରେ ପକାଉଛି । ତେବେ ଡାକ୍ତରଖାନା ଭିତରକୁ ସବୁ ସମୟରେ ସବୁ ଲୋକ ଯାଇପାରିବେନି, ସେଥିଲାଗି ସୁରକ୍ଷା ବ୍ୟବସ୍ଥା ଏଠାରେ ରହିଛି, ତା ସତ୍ୱେ କିଭଳି ଏହି ଦଲାଲ ମାନେ ଡାକ୍ତରଖାନା ଭିତରକୁ ପ୍ରବେଶ କରୁଛନ୍ତି ସେନେଇ ଉଠିଛି ପ୍ରଶ୍ନ । ତା ଛଡା ଭୁବନେଶ୍ୱର କଟକର କିଛି ଘରୋଇ ଡାକ୍ତରଖାନାର ଦଲାଲ୍ ମଧ୍ୟ ଏଠାରେ ଘୁରି ବୁଲିବା ସହ କିଛି ଘରୋଇ ଆମ୍ବୁଲାନ୍ସ ବାଲାଙ୍କୁ ହାତରେ ରଖିଛନ୍ତି, ସେମାନେ ଗୁରୁତର ରୋଗୀ ମାନଙ୍କୁ ବିଭିନ୍ନ ଡାକ୍ତରଙ୍କ ମାଧ୍ୟମରେ ଏଠାରୁ ରେଫର୍ କରି ସେହି ସବୁ ଡାକ୍ତରଖାନାକୁ ନେଇ ବେପାର ଚଳାଇଥିବା ଅଭିଯୋଗ ହେଉଛି । ବିଶେଷ କରି ଯେଉଁମାନଙ୍କର ବୀମା ସୁବିଧା ଓ ଆରଏସପିରୁ ବିଲ୍ ହେବାର ସୁବିଧା ରହିଛି ସେହି ସବୁ ରୋଗୀ ମାନଙ୍କୁ ଏମାନେ ଟାର୍ଗେଟ କରୁଥିବା କୁହାଯାଉଛି । ଏହି ଡାକ୍ତରଖାନାରେ ରୋଗୀ ସେବା ଏବେ ବେପାରରେ ପରିଣତ ହୋଇଥିବା ବେଳେ ଏହାର ପାଇଖାନା ଓ ଅନ୍ୟାନ୍ୟ ସଫେଇ କାମ ମଧ୍ୟ ସଠିକ୍ ଭାବେ ହେଉନଥିବା ଅଭିଯୋଗ ହେଉଛି । ବରିଷ୍ଠ ଡାକ୍ତରମାନେ ଏଠି କିଛି ରୋଗୀଙ୍କୁ ସମୟ ଦେଉଥିବା ବେଳେ କନିଷ୍ଠ ଡାକ୍ତରମାନଙ୍କ ଉପରେ ଅନ୍ୟ ରୋଗୀ ମାନେ ଭରସା କରୁଛନ୍ତି । ଯଦିବି କେହି ବରିଷ୍ଠ ମାନଙ୍କୁ ଅନୁରୋଧ କରୁଛି ସେମାନେ କର୍ଣ୍ଣପାତ କରୁନଥିବାର ଅଭିଯୋଗ ହେଉଛି । ଏତେ ସବୁ ସମସ୍ୟା ରହିଥିବା ବେଳେ ରୋଗୀ ମାନେ କାହାକୁ ଗୁହାରୀ କରି ନ୍ୟାୟ ପାଇବେ ଓ ସେବା ପାଇବେ ତାହା ଜାଣି ପାରୁନାହାନ୍ତି ।
ଡାକ୍ତରଖାନା ପରିସରରେ ଜଣେ ପ୍ରଶାସନିକ ଅଧିକାରୀ ମୋଟା ଅଙ୍କର ଦରମା ନେଇ ବସିଛନ୍ତି, ତା ସତ୍ୱେ ଏତେ ସବୁ ସମସ୍ୟା ଲାଗିରହିବା, ରୋଗୀ ସେବା ଏଭଳି ଅନୁଷ୍ଠାନରେ ବେପାର ଓ ଶୋଷଣରେ ପରିଣତ ହେବା ସେହି ପଦବୀର ଗାରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ୍ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ସେପଟେ ଏହି ଡାକ୍ତରଖାନା ପରିସରରେ ତିଆରି ହୋଇଥିବା ସୁପର୍ ସ୍ପେଶାଲିଷ୍ଟ ହସ୍ପିଟାଲରେ ବିଭିନ୍ନ ରୋଗର ବିଶେଷଜ୍ଞ ଓ ବରିଷ୍ଠ ଡାକ୍ତର ମାନଙ୍କୁ ରଖି ଜିଲ୍ଲାବାସୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ପାଇଁ ସେଲ୍ କର୍ତୃପକ୍ଷ ନିଷ୍ପତି ନେଇଥିଲେ । ଏହାଦ୍ୱାରା ଲୋକଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ, ଭୁବନେଶ୍ୱର, ଦିଲ୍ଲୀ ଆଦି ଅଂଚଳକୁ ଯିବାକୁ ପଡିନଥାନ୍ତା । କିନ୍ତୁ, ଡାକ୍ତରଖାନା ତିଆରି ହେବା ଦିନ ଠାରୁ ଜଣେ ହେଲେ ବିଶେଷଜ୍ଞ ଏଠାରେ ବସିବା ଦେଖାଗଲା ନାହିଁ କିମ୍ବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିଲା ନାହିଁ । ଶେଷ ମୂର୍ହୁତରେ ସେଲ୍ କର୍ତୃପକ୍ଷ ଏହି ଡାକ୍ତରଖାନାକୁ ଏକ ଘରୋଇ ଡାକ୍ତରଖାନା ସଂସ୍ଥା ହାତରେ ଟେକିଦେଇ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେନାହିଁ । ଫଳରେ ଅଂଚଳବାସୀ ଚିକିତ୍ସା ପାଇଁ ପୂର୍ବରୁ ଯେଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଗାମୀ ଦିନରେ ମଧ୍ୟ ସମାନ ସମସ୍ୟା ରହିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏହାକୁ ବିରୋଧ କରି ନିକଟରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ୧୨ ଘଂଟିଆ ଧାରଣା ଦେଇଥିଲେ । ତେବେ ଯଦି ଘରୋଇ ସଂସ୍ଥା ଏହି ଡାକ୍ତରଖାନାକୁ ଚଳାଏ, ତେବେ ବରିଷ୍ଠ ଡାକ୍ତର ମାନେ ଏଠାରେ ସବୁ ସମୟରେ ରହିବେ କି ନାହିଁ ସେନେଇ ମଧ୍ୟ ଉଠିଛି ପ୍ରଶ୍ନ । କାରଣ ରାଉରକେଲାକୁ ନିୟମିତ ବିମାନ ସେବା ନେଇ କୌଣସି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ସେପଟେ ଟ୍ରେନ୍, ବସ୍ କିମ୍ବା କାର୍ ଯୋଗେ ରାଉରକେଲାରୁ କଲିକତା ଓ ଭୁବନେଶ୍ୱର ଯିବା ପାଇଁ ୮ ଘଂଟା ସମୟ ଲାଗୁ ଥିବାରୁ ଏଠାରେ ଡାକ୍ତର ମାନେ କିପରି ସବୁବେଳେ ଉପସ୍ଥିତ ରହିବେ ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।