ଏସିଆ କପ୍ ଟି-୨୦ ଫର୍ମାଟ୍ : ଭାରତ ଜିତିଛି ୬ ଓ ପାକିସ୍ତାନ ୨
ଦୁବାଇ: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ରବିବାର ଏସିଆ କପ୍ ପଞ୍ଚଦଶ ସଂସ୍କରଣରେ ସେମାନଙ୍କ ପ୍ରଥମ ମୁକାବିଲାକୁ ଓହ୍ଲାଇବେ। ଏହା ପୂର୍ବରୁ ଏସିଆ କପ୍ରେ ମ୍ୟାଚ୍ ବିଜୟରେ ପାକିସ୍ତାନକୁ ବହୁ ପଛରେ ପକାଇଛି ଭାରତ। ଏସିଆ କପ୍ର ଟି-୨୦ ଫର୍ମାଟ୍ରେ ପରସ୍ପର ୯ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୬ ଜିତିଛି। ପାକିସ୍ତାନ ୨ଟିରେ ବିଜୟୀ ହୋଇଥିଲା ବେଳେ ଗୋଟିଏ ଟାଇ ମ୍ୟାଚ୍ରେ ଭାରତ ବୋଲ୍ ଓଭରରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ମୋଟ ଉପରେ ଏସିଆ କପ୍ରେ ଉଭୟ ଦଳ ୧୪ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୮ ଏବଂ ପାକିସ୍ତାନ ୫ ଜିତିଛି। ଗୋଟିଏ ମ୍ୟାଚ୍ (୧୯୯୭ରେ) ଧୋଇଯାଇଥିଲା। କିନ୍ତୁ ଆନ୍ତର୍ଜାତିକରେ ଉଭୟ ଦିନିକିଆ ଏବଂ ଟେଷ୍ଟ୍ରେ ଭାରତକୁ ପଛରେ ପକାଇଛି ପାକିସ୍ତାନ। ପରସ୍ପର ମୁହାଁମୁହିଁରେ ପାକିସ୍ତାନ ୭୩-୫୫ (ଦିନିକିଆ) ଏବଂ ୧୨-୯ (ଟେଷ୍ଟ୍)ରେ ଭାରତଠୁ ଆଗରେ ରହିଛି।
ଏସିଆ କପର ଦ୍ବିତୀୟ ମୁକାବିଲାରେ ରବିବାର ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ -ପାକିସ୍ତାନ । ଏହା ଏକ ହାଇଭୋଲ୍ଟଜ ମ୍ୟାଚ୍ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୭ଟାରେ ଖେଳାଯିବ ମ୍ୟାଚ୍ । ଏଥି ପାଇଁ ଉଭୟ ଦଳ ବଳ କଷିଛନ୍ତି । ଭାରତ ବିଶ୍ୱକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏସିଆ କପ୍ ର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬ଥର ଏବଂ ପାକିସ୍ତାନ ୨ ଥର ବିଜୟୀ ହୋଇଛି। ୧୦ ମାସ ପୂର୍ବରୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ପାକିସ୍ତାନ ହାତରୁ ପରାଜିତ ହେବାକୁ ପଡ଼ିଥିଲା । ପାକିସ୍ତାନର ଗଲା କିଛି ମ୍ୟାଚକୁ ଦେଖିଲେ, ଭାରତ ପାଇଁ ମ୍ୟାଚରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। ରୋହିତ ଶର୍ମା ପାକିସ୍ତାନକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଭାରତୀୟ ପ୍ରଶଂସକ ଆଶାବାଦୀ । ସେହିପରି ବିରାଟ କୋହଲି ମଧ୍ୟ ଫର୍ମକୁ ଫେରି ଦର୍ଶକଙ୍କ ମୁହଁରେ ହସ ଦେଖିବାକୁ ଚାହିଁବେ। ତେବେ ସୁପର ସଣ୍ଡେର ଏକ ସୁପର ମୁକାବିଲାକୁ ଅପେକ୍ଷା କରିଛନ୍ତି ୨ ଦେଶର ଫ୍ୟାନ୍ । ସବୁଠି ସେଇ ଗୋଟିଏ ଚର୍ଚ୍ଚା, ଭାରତ ଜିତିବ ନା ପାକିସ୍ତାନ? ପ୍ରଥମ ମ୍ୟାଚରେ ଆଫ୍ ଗାନିସ୍ତାନ ଦମ୍ ଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ୮ ୱିକେଟ୍ ରେ ବିଜୟୀ ହୋଇଛି ଆଫ୍ ଗାନିସ୍ତାନ ।