ଆଶ୍ରମ ଛାତ୍ରୀଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଖାଦ୍ୟ; ବିଇଓଙ୍କୁ ରିପୋର୍ଟ ପ୍ରଦାନ
ଟେଣ୍ଡର ରଦ୍ଦ ସହ ପ୍ରଧାଶିକ୍ଷୟିତ୍ରୀ ଓ ୱାର୍ଡ଼େନକୁ ଅନ୍ୟତ୍ର ବଦଳି ପାଇଁ ଦାବି
ନୀଳଗିରି : ରାଜ୍ୟ ସରକାର ଆଦିବାସୀ ହରିଜନ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମାନ କୁ ବୃଦ୍ଧି କରିବା ପାଇଁ ବସ୍ତ୍ର ଠାରୁ ଆରମ୍ଭ କରି ରହିବା ଖାଇବାର ମାଗଣାରେ ଦେଉଛନ୍ତି । ସେହିପରି ବିଭିନ୍ନ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଛାତ୍ରୀଛାତ୍ରମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ରହିବାର ବ୍ୟବସ୍ଥା କରୁଛନ୍ତି । ମାତ୍ର ବିଭିନ୍ନ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ନୀଳଗିରି ବ୍ଲକ ଛତ୍ରପୁର ଠାରେ ଥିବା କସ୍ତୁରବା ଗାନ୍ଧୀ ଆଶ୍ରମରେ ଦେଖିବାକୁ ମିଳିଛି । ଆଶ୍ରମର ଅନ୍ତେବାସୀଙ୍କ ଖାଦ୍ୟ ପାଇଁ ଆସିଥିବା ଗ୍ରୋସରି ନିମ୍ନମାନ ସହ ଗୁଡ଼ ଚିନିରେ ପୋକ ବାହାରୁଥିବାରୁ ପ୍ରତିବାଦରେ ସରପଞ୍ଚଙ୍କ ସମେତ ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯାଇଥିଲା । ଏଥିସହିତ ଆସିଥିବା ଖାଦ୍ୟ ସାମଗ୍ରୀର ଗାଡିକୁ ବି ଅଟକ ରଖିଥିଲେ ଅନଶନକାରୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିଲା । ପୂର୍ବରୁ ମଧ୍ୟ ଏହିଭଳି ପୋକରା ଖାଦ୍ୟ ପିଲାଙ୍କୁ ଖାଇବାକୁ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି ।
ନୀଳଗିରି ବ୍ଲକର ଛାତ୍ରପୁର ପଞ୍ଚାୟତର ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ରହୁଥିବା ୧୪୮ଜଣ ଅନ୍ତେବାସିନୀଙ୍କୁ ପୋକରା ଚାଉଳ, ପୋକରା ଚୁଡ଼ା, ପୋକ ସାଲୁବାଲୁ ଗୁଡ଼ ଚିନି ଇତ୍ୟାଦି ଦିଆଯାଉଥିବା ବେଳେ ମଙ୍ଗଳବାର ଏହାର ପର୍ଦ୍ଦାଫାସ ହୋଇଛି । ଉକ୍ତ ଖାଦ୍ୟ ସାମଗ୍ରୀକୁ ପ୍ରଥମେ ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧ୍ୟକ୍ଷା, ସମିତିସଭ୍ୟା ଓ ଗ୍ରାମବାସୀମାନେ ଯାଞ୍ଚ କରିଥିଲେ । ଏହା ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡ଼ିବା ପରେ ଏ ବାବଦରେ ନୀଳଗିରି ବିଇଓଙ୍କୁ ଜଣାଇଲା ପରେ ବିଇଓଙ୍କ ନିର୍ଦ୍ଦେଶରେ ଏବିଇଓ ଲମ୍ବୋଦର ସିଂ, ଛତ୍ରପୁର ସିଆର୍ସି ଦୁଷ୍ମନ୍ତ ନାୟକ ସ୍କୁଲରେ ପହଞ୍ôଚ ଖାଦ୍ୟ ସାମଗ୍ରୀ ଯାଞ୍ଚ କରିଥିଲେ । ସତରେ ଖାଦ୍ୟ ସାମଗ୍ରୀ ଗୁଡ଼ିକ ଖାଦ୍ୟ ଉପଯୋଗୀ ନ ଥିବା ବେଳେ ଗୁଡ଼ଚିନି ଟିଣରେ ପୋକ ଥିବା ସହ ପୋକରା ଚାଉଳ, ଅପମିଶ୍ରିତ ଚୂଡ଼ା ଦେଖିବାକୁ ପାଇଥିଲେ । ଅପମିଶ୍ରିତ ଖାଦ୍ୟ ଓ ନିମ୍ନମାନର ଗ୍ରୋସରୀ ସଉଦାକୁ ଜଳେଶ୍ୱର ଅଞ୍ଚଳର ସୁବ୍ରତ ପାତ୍ର ଟେଣ୍ଡର ମାଧ୍ୟମରେ ଯୋଗାଉଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଉର୍ମିଳା ସେଠୀ, ୱାର୍ଡ଼େନ ସୁକାନ୍ତି ରାଉତଙ୍କ ମଧୁ ଚନ୍ଦ୍ରିକାରେ ନୀରିହ ଛାତ୍ରୀମାନଙ୍କୁ ଅପମିଶ୍ରଣ ଖାଦ୍ୟ ଯୋଗାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ତଦନ୍ତକାରୀ ଅଫିସର ସମସ୍ତ ସତ୍ୟତା ଉପରେ ଯାଞ୍ଚ କରି ନୀଳଗିରି ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତ । ତୁରନ୍ତ ଟେଣ୍ଡରଧାରୀଙ୍କ ଟେଣ୍ଡରକୁ ରଦ୍ଦ କରାଯିବା ସହ ଘଟଣାରେ ସମ୍ପୃକ୍ତ ପ୍ରଧାଶିକ୍ଷୟିତ୍ରୀ ଓ ୱାର୍ଡ଼େନକୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ତଥା ନିର୍ବାଚିତ ପ୍ରତିନିଧିମାନେ ଦାବୀ କରିଛନ୍ତି । ତେବେ ଏ ଘଟଣାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଆଜି ଆସିଥିବା ଖାଦ୍ୟ ସାମଗ୍ରୀ ଏଯାଏଁ ଗ୍ରହଣ କରାଯାଇ ନାହିଁ । ସେହିପରି ପୂର୍ବରୁ ପୋକରା ଖାଦ୍ୟ ପିଲାଙ୍କୁ ଦିଆଯାଇ ନଥିବାର ପ୍ରକାଶ କରିଥିଲେ ।