କରୁଛନ୍ତି କି ସୋମବାର ବ୍ରତ ? ଜାଣନ୍ତୁ ଉପାସ ସମୟରେ ସୁସ୍ଥ ରହିବାର ଉପାୟ
ବ୍ରତ କରିବା ଦ୍ବାରା ଶରୀରର ଡାଇଜେଷ୍ଟିଭ୍ ସିଷ୍ଟମକୁ ଆରାମ ମିଳିବା ସହିତ ମେଟାବଲିକ୍ ରେଟ୍ ମଧ୍ୟ ବଢ଼ିଯାଏ। ଯଦିଓ ଏହି ସମୟରେ କେତେକ କଥା ପ୍ରତି ଧ୍ୟାନ ଦେବା ଦରକାର, ନଚେତ ଏହାର ଓଲଟା ପ୍ରଭାବ ପଡ଼ିପାରେ। ଏବେ ଶ୍ରାବଣ ମାସ ଚାଲିଛି। ଏହି ମାସରେ ଅନେକେ ସୋମବାର ବ୍ରତ ରଖୁଥିବାବେଳେ କେହି କେହି ବର୍ଷ ସାରା ସୋମବାର ବ୍ରତ ରଖିଥାନ୍ତି। ସୋମବାରକୁ ଶିବଙ୍କ ଦିନ ବୋଲି କୁହାଯାଏ। ଏପରିସ୍ଥଳେ ଯଦି ଆପଣ ମଧ୍ୟ ବ୍ରତ ରଖୁଛନ୍ତି, ତେବେ ଚାଲନ୍ତୁ ଜାଣିବା ବ୍ରତ ସମୟରେ ସୁସ୍ଥ ରହିବାର ଉପାୟ।
ଆପଣ କେତେ କଠୋର ବ୍ରତ ରଖିପାରିବେ, ଏହା ବ୍ୟକ୍ତିଙ୍କ ଦୃଢ଼ତା ଓ ଆସ୍ଥା ସହିତ ତାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ନିର୍ଭର କରେ। କେତେକ ଲୋକେ ସାରା ଦିନ ଭୋକିଲା ରହି କେବଳ ସନ୍ଧ୍ୟା ସମୟରେ ହାଲୁକା ପୁଲୁକା ଫଳାହାର କରି ବ୍ରତ ରଖୁଥିବାବେଳେ ଆଉ କେହି ଶସ୍ୟ ଓ ନର୍ମାଲ ଖାଦ୍ୟ ବଦଳରେ ଫଳ, କ୍ଷୀର ଓ ବ୍ରତ ସହିତ ଜଡ଼ିତ ଅନ୍ୟାନ୍ୟ ଜିନିଷ ଖାଇଥାନ୍ତି। ଆଉ କେତେକ ଲୋକେ ସାରା ଦିନ ଉପବାସ ରହି କେବଳ ରାତିରେ ଗୋଟିଏ ଥର ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ସମୟରେ କେତେକ ଲୋକେ ଖାଦ୍ୟରେ ଲୁଣ ମଧ୍ୟ ପକାଇ ନ ଥାନ୍ତି।
ଏଥିପ୍ରତି ଧ୍ୟାନ ଦିଅନ୍ତୁ
ବ୍ରତ ସମୟରେ ଶରୀରରେ ଜଳୀୟ ଅଂଶର ଅଭାବ ହେବା ଉଚିତ ନୁହେଁ। ପ୍ରତିଦିନ ୬-୮ ଗ୍ଲାସ୍ ପାଣି ନିହାତି ପିଅନ୍ତୁ। ଏହି ସମୟରେ ଖାଦ୍ୟରେ ଏଭଳି ଫଳ ସାମିଲ୍ କରନ୍ତୁ, ଯେଉଁଥିରେ ପାଣିର ମାତ୍ରା ଅଧିକ ରହିଛି। ଅଙ୍ଗୁର, ଲିଚି, କମଳା, ମୌସାମ୍ବୀ ଆଦି ବ୍ରତ ସମୟରେ ସେବନ କରିବା ଭଲ। ପେଟ ଖାଲି ରହିଲେ ଅମ୍ଳ ବଢ଼ିଯାଏ। ତେଣୁ କିଛି ସମୟ ଅନ୍ତରାଳରେ ଫଳାହାର ନିହାତି କରନ୍ତୁ। ଆପଣ ଚାହିଲେ ଡ୍ରାଏ ଫ୍ରୁଟ୍ ମଧ୍ୟ ଖାଇପାରିବେ। କାରଣ ଏଥିରୁ ଆପଣଙ୍କୁ ଶକ୍ତି ମିଳିବା ସହିତ ଦୁର୍ବଳ ମଦ୍ୟ ଅନୁଭବ ହେବ ନାହିଁ।
କ’ଣ ଖାଇବେ
ବ୍ରତ ରଖିଥିଲେ ଆପଣ ସକାଳ ଜଳଖିଆରେ ସ୍କିମ୍ଡ୍ ମିଲ୍କ ସହିତ ଫଳ ସେବନ କରିପାରିବେ। କ୍ଷୀର ସହିତ ଭିଜା ପିସ୍ତା ବାଦାମ ମଧ୍ୟ ଖାଇପାରିବେ। ମଧ୍ୟାହ୍ନ ଭୋଜନରେ ରକ୍ ସଲ୍ଟ ପକାଇ ଶାଗୁର ଯେ କୌଣସି ବ୍ୟଞ୍ଜନ ସହିତ ଦହି ଖାଇପାରିବେ। ଏଥିସହିତ କୁଟ୍ଟୁ ଅଟାରେ ତିଆରି ପୁରି ଓ ଆଳୁ ତରକାରୀ ମଧ୍ୟ ଖାଇପାରିବେ। ଯଦି ଆପଣ ଲୁଣ ସେବନ କରୁ ନାହାନ୍ତି, ତେବେ ଦହି ଖାଇପାରିବେ, କ୍ଷୀର ପିଇ ପାରିବେ କିମ୍ବା କ୍ଷୀରରେ ତିଆରି ଯେକୌଣସି ମିଠା ସେବନ କରିପାରିବେ। ସନ୍ଧ୍ୟା ସମୟରେ ଆପଣ ଡ୍ରାଏଫ୍ରୁଟ୍ ଖାଇପାରିବେ। ଏହା ଆପଣଙ୍କୁ ଫିଟ୍ ରଖିବ। ଚା’ ସହିତ ରୋଷ୍ଟେଡ୍ ମଖାନା ବି ମଧ୍ୟ ସେବନ କରିପାରିବେ।
ସାବଧାନତା ଅବଲମ୍ବନ କରନ୍ତୁ
ବ୍ରତ ସମୟରେ ଅଧିକ ତେଲ ଛଣା ଖାଦ୍ୟ ଖାଆନ୍ତୁ ନାହିଁ। ଏଥିରେ କ୍ୟାଲୋରୀର ମାତ୍ରା ବଢ଼ିଯିବ। ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଓ ମିନେରାଲ୍ସ ସହିତ ସହିତ ସମସ୍ତ ଆବଶ୍ୟକୀୟ ପୋଷକତତ୍ତ୍ବରେ ଭରପୂର ଖାଦ୍ୟ ସେବନ କରନ୍ତୁ। କୁଟ୍ଟୁ ଅଟା ଓ ଆଳୁ ଅଧିକ ସେବନ କରିବା ଉଚିତ ନୁହେଁ। ବ୍ରତ ସମୟରେ ଅଧିକ ପନୀର କିମ୍ବା ଫୁଲ୍କ୍ରୀମ୍ କ୍ଷୀର ସେବନଠାରୁ ଦୂରେଇ ରହନ୍ତୁ। ତାଜା ଫଳ ଓ ଜୁସ୍ ସେବନ କରିପାରିବେ।