ରାଜ୍ୟରେ ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶୀର୍ଷ ଛୁଇଁବ କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ନେଇ ଡିରେକ୍ଟୋରେଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି)ର ନିର୍ଦ୍ଦେଶକ ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକ୍ ବା ଶୀର୍ଷରେ ରହିପାରେ ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗତ ବର୍ଷ ଅପେକ୍ଷା ଅଧିକ ପରିମାଣରେ ଅକ୍ସିଜେନ ମହଜୁଦ ଥିବା କହିଛନ୍ତି ସିବିକେ ମହାନ୍ତି । ଏହାସହ ସେ କହିଛନ୍ତି ଓଡ଼ିଶା ଭାଗ୍ୟବାନ କାରଣ ଉଭୟ ସରକାରୀ ଓ ବେସରକାରୀସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି । ଏଥିସହ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ବେଡ, ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଥିବା କୁହାଯାଇଛି । ୭୧ଟି କୋଭିଡ ହସ୍ପିଟାଲ ରାଜ୍ୟରେ ସକ୍ରିୟ ଥିବା ବେଳେ ୩୧ଟି ଚାଲିଛି । ଏଯାବତ୍ ୨୬% ବେଡ, ୧୪.୧୮% ଆଇସିୟୁ, ୧୦% ଭେଟିଂଲେଟର ବ୍ୟବହୃତ ହୋଇଥିବା ନେଇ ଡିଏମଇଟି ନିର୍ଦ୍ଦେଶକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।