ବିଶ୍ବ ଚାମ୍ପିଅନ ପାଇଁ ଆଉ ଗୋଟିଏ ପାଦ, ୧୨ ବର୍ଷ ପରେ ଫାଇନାଲ୍ରେ ଭାରତ

ମୁମ୍ବାଇ : ଅପରାଜୟେ ଭାରତ। ନ୍ୟୁଜିଲାଣ୍ଡକୁ ୭୦ ରନ୍ ହରାଇ ବିଶ୍ୱକପ୍ ୨୦୨୩ ଫାଇନାଲରେ ଭାରତ। ବିଶ୍ବ ଚାମ୍ପିଅନ ପାଇଁ ଆଉ ଗୋଟିଏ ପାଦ ଦୂର । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ଶାମୀଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ୨୦୧୧ ପରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତକୁ ସେମି ଫାଇନାଲରୁ ହିଁ ଫେରିଥିଲା । ତେବେ ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ଅତିକ୍ରମ କରି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
ମୁମ୍ଵାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ୍ର ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡରକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଶତକ ପରେ ମହମ୍ମଦ ଶାମିଙ୍କ ଘାତକ ବୋଲିଂ(୭ ଓ୍ଵିକେଟ୍) ବଳରେ ଭାରତ ୧୨ ବର୍ଷ ପରେ ବିଶ୍ଵକପ୍ର ଫାଇନାଲ୍ରେ ପହଞ୍ଚି ପାରିଛି। ଏଥିସହିତ ଭାରତୀୟ ଦଳ ନ୍ୟଜିଲାଣ୍ଡ ନିକଟରୁ ୨୦୧୯ ବିଶ୍ଵକପ୍ ସେମି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିଛି। ଆଜିର ବିଜୟ ସହ ଭାରତ ମୋଟ୍ ଚତୁର୍ଥ ଥର ଆଇସିସି ବିଶ୍ଵକପ୍ର ଫାଇନାଲ୍ରେ ପହଞ୍ଚିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡର ପ୍ରଥମ ଥର ବିଶ୍ଵକପ୍ ଜିତିବାର ସ୍ଵପ୍ନ ପୁଣି ଥରେ ଧୂଳିସାତ ହୋଇଛି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବିରାଟ କୋହଲିଙ୍କ ୧୧୭ ରନ, ଶ୍ରେୟସ ଆୟରଙ୍କ ୧୦୫ ରନ ଓ ଶୁଭମନ ଗିଲ୍ଙ୍କ ୮୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୩୯୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଡାରିଲ ମିଚେଲଙ୍କ ୧୩୪ ରନ ଓ କେନ୍ ଓ୍ଵିଲିୟମସନଙ୍କ ୬୯ ରନ ସତ୍ତ୍ଵେ ନ୍ୟୁଜିଲାଣ୍ଡ ୪୮.୫ ଦଳ ୩୨୭ ରନରେ ଅଲଆଉଟ୍ ହୋଇଛି। ମହମ୍ମଦ ଶାମି ଘାତକ ବୋଲିଂ କରି ୫୭ ରନ ଦେଇ ୭ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ଚଳିତ ବିଶ୍ଵକପର ତୃତୀୟ ଥର ୫ ଓ୍ଵିକେଟ୍ ନେବାର ରେକର୍ଡ କରିଛନ୍ତି।
ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି କିଓ୍ଵି ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ମାତ୍ର ୨୯ ବଲ୍ରୁ ୪ ଚୌକା ଓ ୪ ଛକା ସହ ୪୭ ରନ କରିଥିଲେ। ଏହା ପରେ ଶୁଭମନ ଗିଲ୍ ମଧ୍ୟ ଦ୍ରୁତ ବ୍ୟାଟିଂ କରିଥିଲେ। ସେ ୬୫ ବଲ୍ରୁ ୮ ଚୌକା ଓ ୩ ଛକା ସହ ୭୯ ରନ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ କ୍ରିଜରେ ଆରମ୍ଭ ହୋଇଥିଲା ବିରାଟ କୋହଲି ଓ ଶ୍ରେୟସଙ୍କ ଶୋ। ଦୁଇ ବ୍ୟାଟର ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ।
ଗୋଟିଏ ପଟେ କୋହଲି ନିଜର କଳାତ୍ମକ ଖେଳ ଜାରି ରଖିଥିବା ବେଳେ ଅନ୍ୟପଟେ ଶ୍ରେୟସ ଲମ୍ବା ଛକା ମାରି ଚାଲିଥିଲେ। ଏହି ସମୟରେ କୋହଲି ଅର୍ଦ୍ଧଶତକ ପୂରଣ କରିବା ସହ ୫୦ତମ ଐତିହାସିକ ଶତକ ପୂରଣ କରି ସଚିନ ତେନ୍ଦୁଲକର ବିଶ୍ଵରେକର୍ଡ ଭାଙ୍ଗିବା ସହ ଦିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି। ୩୨୭ ରନ ସ୍କୋରରେ କୋହଲି ଆଉଟ୍ ହୋଇଥିଲେ। ସେ ୧୧୩ ବଲ୍ରୁ ୯ ଚୌକା ୨ ଛକା ସହ ୧୧୭ ରନ କରିଥିଲେ। ଚଳିତ ବିଶ୍ଵକପରେ କୋହଲିଙ୍କ ଏହା ତୃତୀୟ ଶତକ।
ଏହା ପରେ ଶ୍ରେୟସ ଆୟର ବିସ୍ଫୋରକ ଢଙ୍ଗରେ ମାତ୍ର ୬୭ ବଲ୍ରୁ ଚଳିତ ବିଶ୍ଵକପରେ କ୍ରମାଗତ ନିଜର ଦ୍ଵିତୀୟ ଶତକ ପୂରଣ କରିଛନ୍ତି। ଶ୍ରେୟସ ମାତ୍ର ୭୦ ବଲରୁ ୪ ଚୌକା ଓ ୮ ଛକା ସହାୟତାରେ ୧୦୫ ରନର ଧୂଆଁଧାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶ୍ରେୟସଙ୍କ ଦିନିକିଆରେ ଏହା ହେଉଛି ପଞ୍ଚମ ଶତକ। କେଏଲ ମଧ୍ୟ ଦ୍ରୁତ ବ୍ୟାଟିଂ କରି ୨୦ ବଲରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୪ ଓ୍ଵିକେଟ୍ ହରାଇ ୩୯୭ ରନ କରିଛି। ମିଚେଲ୍ ସାଣ୍ଟନରଙ୍କୁ ବାଦ୍ ଦେଲେ ନ୍ୟୁଜିଲାଣ୍ଡର ବାକି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଟିମ୍ ସାଉଦି ୩ଟି ଓ୍ଵିକେଟ୍ ନେଇଥିଲେ ହେଁ ୧୦ ଓଭରରେ ୧୦୦ ରନ ବ୍ୟୟ କରିଛନ୍ତି।
୩୯୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ୩୦ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଡେଭନ କନଓ୍ଵେ(୧୩)ଙ୍କୁ ଆଉଟ୍ କରି ମହମ୍ମଦ ଶାମି ପ୍ରଥମ ସଫଳତା ଦେଇଥିଲେ। ୩୯ ରନ ସ୍କୋରରେ ଇନଫର୍ମ ବ୍ୟାଟର ରଚିନ ରବୀନ୍ଦ୍ର(୧୩)ଙ୍କୁ ଆଉଟ୍ କରି ଶାମି ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ୩୯ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ସଙ୍କଟରେ ପଡ଼ିଥିବା ନ୍ୟୁଜିଲାଣ୍ଡର ଇନିଂସ ଅଧିନାୟକ କେନ୍ ଓ୍ଵିଲିୟମସନ ଓ ଡାରିଲ ମିଚେଲ୍ ସମ୍ଭାଳିଥିଲେ। ଉଭୟ ବ୍ୟାଟର ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଭାରତୀୟ ବୋରଲଙ୍କୁ ଚାପରେ ରଖିଥିଲେ। ବିଶେଷ କରି ଡାରିଲ ମିଚେଲ୍ ଦ୍ରୁତ ବ୍ୟାଟିଂ କରିଥିଲେ। ତୃତୀୟ ଓ୍ଵିକେଟ୍ରେ ୧୮୧ ରନ ଯୋଡ଼ି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହି ଯୋଡ଼ି ଭାରତୀୟ ଶିବିରରେ ଛନକାଇ ପଶାଇଥିଲେ। ଶେଷରେ ଶାମି କେନ ଓ୍ଵିଲିୟମସନଙ୍କୁ ଆଉଟ୍ କରି ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ଓ୍ଵିଲିୟମସନ ୭୩ ବଲରୁ ୯ ଚୌକା ଓ ୧ ଛକା ବଳରେ ୬୯ ରନ କରିଥିଲେ। ୨୨୦ ସ୍କୋରରେ କେନଙ୍କ ପରେ ସେହି ସମାନ ସ୍କୋରରେ ଟମ୍ ଲାଥମ(୦)ଙ୍କୁ ଶାମି ପାଭିଲିୟନ ଫେରିଥିଲେ।
ଏହା ପରେ କ୍ରିଜରେ ଜମିଥିବା ଡାରିଲ ମିଚେଲ୍ ଗ୍ଲେନ ଫିଲିପ୍ସଙ୍କ ସହ ପଞ୍ଚମ ଓ୍ଵିକେଟ୍ ପାଇଁ ୭୫ ରନ ଯୋଡ଼ି ଆଶା ଉଜ୍ଜିବୀତ କରିଥିଲେ। ହେଲେ ଫିଲିପ୍ସଙ୍କୁ ବୁମରା ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଫିଲିପ୍ସ ୩୩ ବଲ୍ରୁ ୪ ଚୌକା ଓ ୨ ଛକା ସହ ୪୧ ରନ କରିଥିଲେ। ଅନ୍ୟପଟେ ଡାରିଲ୍ ମିଚେଲ୍ ଚଳିତ ବିଶ୍ଵକପ୍ରେ ଦ୍ଵିତୀୟ ଶତକ ହାସଲ କରିଥିଲେ। ତେବେ ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଆଗରେ ନ୍ୟୁଜିଲାଣ୍ଡର ବ୍ୟାଟିଂ କ୍ରମ ତିଷ୍ଠି ପାରି ନ ଥିଲା। ଡାରିଲ ମିଚେଲ୍ ଶାମିଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ। ସେ ୧୧୯ ବଲ୍ରୁ ୯ ଚୌକା ଓ ୭ ଛକା ସହ ୧୩୪ ରନର ଲଢୁଆ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ପରେ ନ୍ୟୁଜିଲାଣ୍ଡ ଇନିଂସ ଭୁଶୁଡ଼ି ପଡ଼ିଥିଲା। ଟିମ୍ ସାଉଦି(୯) ଓ ଲୋକି ଫର୍ଗ୍ୟୁସନ(୬)ଙ୍କୁ ଆଉଟ୍ କରି ଶାମି ୪୮.୫ ଓଭରରେ କିଓ୍ଵି ଇନିଂସର ଅନ୍ତ ଘଟାଇଥିଲେ। ମହମ୍ମଦ ଶାମି ୧୦ ଓଭରରେ ୫୭ ରନ ଦେଇ ୭ଟି ଓ୍ଵିକେଟ୍ ଅକ୍ତିକାର କରି ଭାରତ ବିଜୟରେ ବିନ୍ଧାଣି ସାଜିଥିଲେ। ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।