ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ! ପୁତୁରା ଅମିତ ଠାକରେଙ୍କୁ ମନ୍ତ୍ରୀ କରିବେ ଫଡନାଭିସ
ମୁମ୍ୱାଇ : ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ସହ ଯୋଗାଯୋଗ କରିଛି । ଏହାସହ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କୁ କ୍ୟାବିନେଟରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛି । ଏହି ପଦକ୍ଷେପକୁ ରଣନୈତିକ ରୂପେ ଦେଖାଯାଇପାରେ । ଆପଣଙ୍କୁ କହି ରଖୁଛୁ ଯେ, ଅମିତ ବର୍ତ୍ତମାନ ଜଣେ ବିଧାୟକ କିମ୍ୱା ଏମଏଲସି ନୁହଁନ୍ତି । ଏହା ସତ୍ତ୍ୱେ ତାଙ୍କୁ ମନ୍ତ୍ରୀ କରିବା ନିଷ୍ପତ୍ତି ଶିବସେନାରେ ଉଦ୍ଧବ ଠାକରେ ବା ଠାକରେ ପରିବାରର ପ୍ରଭାବକୁ ହ୍ରାସ କରିବାର ଆଉ ଏକ ପ୍ରୟାସ ହୋଇପାରେ । ନିକଟ ଅତୀତରେ ବିଜେପି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଛି ।
ଅମିତ ଠାକରେଙ୍କ ଉପରେ ବିଜେପିର ବାଜି ଲଗାଇବାର ଅର୍ଥ ହେଉଛି ଶିବସେନାଙ୍କୁ ଆଘାତ ଦେବା ପହଞ୍ଚାଇବା । ଏହା ମହାରାଷ୍ଟ୍ରର ଗେରୁଆ ଦଳକୁ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଛି । ଗତ କିଛିବର୍ଷ ମଧ୍ୟରେ ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଶିବସେନାର କମାଣ ସମ୍ଭାଳିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଭଳି ପରିସ୍ଥିତିରେ ଅମିତଙ୍କୁ କ୍ୟାବିନେଟକୁ ଆଣିବା ପାଇଁ ଆଦିତ୍ୟଙ୍କ ପାଇଁ ସିଧାସଳଖ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ଉଭୟ ଆଦିତ୍ୟ ଓ ଅମିତଙ୍କୁ ଯୁବ ନେତା ଭାବେ ଦେଖାଯାଉଛି, ଯାହା ଦ୍ୱାରା ସେମାନେ ଯୁବକମାନଙ୍କୁ ନିଜ ତରଫକୁ ଆଣିପାରିବେ । ଏମଏନଏସ ନେତାମାନେ ଦାବି କରିଛନ୍ତି ଯେ, ସେମାନେ ଏପରି କୌଣସି ପ୍ରସ୍ତାବ ବିଷୟରେ ଅବଗତ ନୁହଁନ୍ତି । ବିଜେପି ନେତାମାନେ ମଧ୍ୟ ଚୁପ୍ ଅଛନ୍ତି । ତେବେ ଏମଏନଏସରୁ ଖବର ଆସୁଛି ଯେ ରାଜ ଠାକରେ ହୁଏତ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିବେ । ପୁନଶ୍ଚ ଏହା ଆଧିକାରୀକ ଭାବେ ନିଶ୍ଚିତ ହୋଇପାରି ନାହିଁ ।
ସୂଚନା ଯେ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅମିତ ଠାକରେଙ୍କୁ ମନ୍ତ୍ରଣାଳୟରେ ଆଣିବାକୁ ଯୋଜନା କରିଛନ୍ତି । ସେ ବୁଧବାର ରାଜ ଠାକରେଙ୍କ ସହ ସୌଜନ୍ୟମୂଳକ ବୈଠକ କରିବେ ବୋଲି କୁହାଯାଉଥିଲା । ତେବେ ବୈଠକ ପରେ ସ୍ଥଗିତ ରଖାଯାଇଛି । ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ତୀର ଦ୍ୱାରା ଅନେକ ଟାର୍ଗେଟ କରିଛି । ଏହି କାରଣରୁ ଶିବସେନା ଉପରେ ଉଦ୍ଧବ ଠାକରେଙ୍କ ନିୟନ୍ତ୍ରଣ ମଧ୍ୟ ହଟିବାରେ ଲାଗିଛି । ମଙ୍ଗଳବାର ଦଳର ମୁଖପାତ୍ର ତଥା ପୂର୍ବତନ କାଉନସିଲର ଶୀତଳ ମଥ୍ରେ ସିନ୍ଦେ କ୍ୟାମ୍ପରେ ଯୋଗଦେବା ପରେ ଶିବସେନାକୁ ଆଉ ଏକ ଝଟକା ଲାଗିଛି । ମଥ୍ରେ ସିନ୍ଦେ ଶିବିରରେ ଯୋଗଦେବା ସହିତ ଶିବସେନାର ବହୁ ବିଏମସି କାଉନସିଲର ସିନ୍ଦେ ଶିବିରରେ ଯୋଗ ଦେଇପାରନ୍ତି । ଏହା ଦଳ ଉପରେ ଉଦ୍ଧବଙ୍କ ନିୟନ୍ତ୍ରଣ ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ହୋଇପାରେ ।