ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା, ୫ଟି ପର୍ଯ୍ୟାୟରେ ହେବ ମତଦାନ
- ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଓ ୨୨ରୁ ଯାଂଚ
- ୨୫ ସୁଦ୍ଧା ପ୍ରତ୍ୟାହାର ଓ ଚୂଡ଼ାନ୍ତ ତାଲିକା ପ୍ରକାଶ
- ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ନିର୍ବାଚନ
- ଗଣତି ଫେବୃଆରୀ ୨୫, ୨୬ ଓ ୨୮ରେ
- ଘରକୁ ଘର ବୁଲି ଜଣେ ପ୍ରାର୍ଥୀ ୫ ଜଣଙ୍କୁ ସାଙ୍ଗରେ ନେଇ ପ୍ରଚାର କରିବେ
- ସଭା ସମିତି, ରାଲି ଓ ରୋଡ଼ ସୋ ବନ୍ଦ
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି । ରାଜ୍ୟ ନିର୍ବାଚନ କମିସନ୍ ସାମ୍ବାଦିକ ସମ୍ମିଳନୀରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଙ୍ଗଳବାର ଠାରୁ ଆଚରଣବିଧି ଲାଗୁ ହେଲା । ଏହା ଫେବ୍ରୁଆରି୨୮ ତାରିଖ ଯାଏ ବଳବତର ରହିବ । ସେ କହିଛନ୍ତି ଯେ ପଂଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରି ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରିରୁ ୨୧ ଜାନୁଆରି ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୨ ଜାନୁଆରିରେ ନାମାଙ୍କନପତ୍ର ଯାଂଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରିରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।
ସେ କହିଛନ୍ତି ଯେ ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ । ଭୋଟ ଗଣତି ଫେବ୍ରୁଆରି ୨୫, ୨୬ ଓ ୨୮ ତାରିଖରେ ହେବ । ସେ କହିଛନ୍ତି ଯେ ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ । ସେ କହିଛନ୍ତି,ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ । ସେ କହିଛନ୍ତି ଯେ କୋଭିଡ୍କୁ ଆଖି ଆଗରେ ରଖି ନିର୍ବାଚନ ପ୍ରଚାରକୁ ଅନୁମତି ଦିଆଯାଇଛି । ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ । ପ୍ରାର୍ଥୀ ମାନେ ଭର୍ଚୁଆଲରେ ପ୍ରଚାର କରିପାରିବେ । ଅ ଖାସକରି ଚଳିତ ପଂଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ । କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ସେହିଭଳି ରୋଡ ସୋ’ ଉପରେ ରୋକ ଲଗାଯାଇଛି । ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ଭୋଟ ଗଣତି ହେବ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ ।