ଜୁନ୍ ପହିଲାରୁ ଖୋଲିବ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି।
ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଲେଖିଥିବା ଏକ ପତ୍ରରେ ବିଭାଗ ଲେଖିଛି, “ଏହି ବିଭାଗ ଦ୍ୱାରା ଘୋଷିତ ହୋଇଥିବା ଗ୍ରୀଷ୍ମ ଛୁଟି ୩୧ ମେ ୨୦୧୧ରେ ଶେଷ ହେବ। ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବ। ” ଏହାପୂର୍ବରୁ ମେ ୪ରେ ବିଭାଗ ଚଳିତ ବର୍ଷ ମେ ୫ରୁ ମେ ୩୧ ପର୍ଯ୍ୟନ୍ତ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲା।ଛୁଟି ସମୟରେ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ପିଏଚଡି ଏବଂ ଅନ୍ୟାନ୍ୟ ଗବେଷକ ପଣ୍ଡିତମାନଙ୍କ ସାକ୍ଷାତକାର ପାଇଁ ସରକାର ଅନୁମତି ଦେଇଥିଲେ। ଅବଶ୍ୟ, ଗ୍ରୀଷ୍ମ ଛୁଟି ସମୟରେ ଅନଲାଇନ୍ କ୍ଲାସ୍ ଏବଂ ପରୀକ୍ଷା ବନ୍ଦ ରହିଛି। ସୂଚନା ଯେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ। ତେବେ ଆଜି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ତାରିଖରେ ଶେଷ ହେଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ । ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେବି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ସାପ୍ତାହିକ ସଟଡାଉନ୍ ମଧ୍ୟ ବଳବତ୍ତର ରହିଛି। କିନ୍ତୁ ଏହା ସତ୍ତ୍ବେ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଯେ, କରୋନାର ପ୍ରଥମ ଲହର ପରେ ରାଜ୍ୟରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିଥିଲା । କୋଭିଡ୍ ଗାଇଡଲାଇନରେ ବିଶ୍ୱ ବିଦ୍ୟାଳୟ ଖୋଲିଥିଲେ ବି ଅଫଲାଇନ୍ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ । ତେବେ କରୋନା ସ୍ଥିତି ବିଗିଡିବା ପରେ ବିଶ୍ୱ ବିଦ୍ୟାଳୟରେ ଅଫଲାଇନ୍ ପାଠପଢା ବନ୍ଦ କରାଯାଇଥିଲା ।