ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷି ମୁଠି ଅନୁକୂଳ କଲେ ଚାଷୀ

ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଚାଷ କାର୍ଯ୍ୟ ଆରମ୍ଭ କରିବ ଚାଷୀ । ଆଜି ଚାଷୀ ନିଜ କ୍ଷେତକୁ ପୂଜା କରିବା ସହ ସେଠାରେ ବିହନ ବୁଣିବା ପରମ୍ପରା ରହିଛି । ଓଡ଼ିଆ ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଏହି ପୂଜା ହୋଇଥାଏ । ସକାଳୁ ସକାଳୁ ଚାଷୀ ଟିଏ ତାର ଚାଷ ଜମିକୁ ପୂଜା କରିବା ପାଇଁ ପ୍ରଥମେ ଘରେ କଳସ ବସେଇ ପୂଜାର୍ଚ୍ଚନା କରି ନିଜର ଚାଷ ଜମିକୁ ଯାଇଥାଏ । ସେଠାରେ ନେଇଥିବା ବିହନ କୁ ବୁଣି ପୁଜା କରିଥାଏ । ବିଶ୍ୱାସ ରହି ଆସିଛି ଏହି ଦିନ ନିଜର ଚାଷ ଜମିରେ ବିହନ ମୁଠାଏ ପକେଇ ପୂଜା କରିବା ସହ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଅକ୍ଷି ମୁଠି ଅନକୂଳ କରେ ଚାଷୀ ।
କରୋନା ଭୂତାଣୁ ସଂକ୍ରମଣ ଭୟ ଓ ଲକଡାଉନ କଟକଣା ସତ୍ତ୍ୱେ ଚାଷୀମାନେ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନର ପୂଜାର୍ଚ୍ଚନା କରିଛନ୍ତି । କୃଷକମାନେ ଧରିତ୍ରୀ ମାତାଙ୍କୁ ପୂଜା କରି ଅକ୍ଷି ମୁଠି ଅନୁକୂଳ କରିଥିଲେ । ଚାଷ ଉପକରଣ ଓ ବଳଦଙ୍କୁ ସଜାଇ ଥିଲେ । ବିଶେଷତଃ ଏହି ପର୍ବରେ ବଳଦଙ୍କୁ ପାଖ ନଦୀ କିମ୍ବା ପୋଖରୀରେ ଭଲ ଭାବେ ଗୋଧୋଇ ସେମାନଙ୍କ ଶିଂଘରେ ରଙ୍ଗ ବୋଳାଯାଏ । ସେମାନଙ୍କ ଶରୀରରେ ରଙ୍ଗବେରଙ୍ଗର ଅଳଙ୍କାର ଓ ସୁନ୍ଦର କପଡା ରଖାଯାଏ । ବଳଦଙ୍କୁ ସଜାଇ ଚାଷୀମାନେ ପୂଜା କରନ୍ତି ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ଚାଷୀ ବିଜୟ ଦାସ । ଅକ୍ଷୟ ତୃତୀୟାରେ ବିହନ ବୁଣିବା ପରେ ଚାଷୀମାନେ ଭଲ ମୌସୁମୀ ପାଇଁ ପ୍ରାର୍ଥନା କରନ୍ତି । ରାଜ୍ୟର ଚାଷ ମୌସୁମୀ ଉପରେ ନିର୍ଭର କରୁଥିବାରୁ ଚାଷୀମାନେ ଏହି ଉତ୍ସବ ପାଳିବାକୁ ଭୁଲି ନଥାନ୍ତି । କେବଳ ଚାଷବାସ ନୁହେଁ ଅକ୍ଷୟ ତୃତୀୟାରେ ଲୋକେ ଅନେକ ନୂଆ କାମ ମଧ୍ୟ ଅନୁକୂଳ କରିଥାନ୍ତି । ତେବେ ଏଥର ଲକଡାଉନ ଯୋଗୁଁ ସବୁ ଫିକା ପଡ଼ିଯାଇଛି । ସେପଟେ ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବ । ଶ୍ରୀମନ୍ଦିର ସମ୍ମୁଖରେ ବିଜେ କରିଥିବା ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ ନିର୍ମାଣ ଆରମ୍ଭ ହେବ । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯିବ । ଦେବୀ ଚର୍ଚ୍ଚିକାଙ୍କ କୃପାରୁ ଶାସ୍ତ୍ରୀୟ ବିଧିରେ ନିର୍ମାଣ କାମ ସୁରୁଖୁରୁରେ ସଂପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିଲାଗି ନୟାଗଡ଼ ବନଖଣ୍ଡରୁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିସାରିଛି । ବିଶ୍ବକର୍ମାମାନେ କାଠର ଅକ୍ଷି ପୂଜା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ, ରାମ ନବମୀରେ କାଠ ବକଳ ବାହାର କରିବା ପରେ ଆଜି ରଥ ନିର୍ମାଣର ଅନୁକୂଳ କରାଯିବ ।