ଏୟାର ଇଣ୍ଡିଆ ତଥ୍ୟ ଚୋରି : ୪୫ ଲକ୍ଷ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୂଚନା ଲିକ୍
ନୂଆଦିଲ୍ଲୀ : ଗତ ଫେବ୍ରୁଆରି ମାସରେ ‘ଏୟାର୍ଇଣ୍ଡିଆ’ ଓ ଅନ୍ୟ କେତେକ ଏୟାର୍ଲାଇନ୍ସ୍ ସର୍ଭର୍ରେ ବ୍ୟାପକ ‘ଡାଟା ବ୍ରିଚ୍’ (ସଂଗୃହୀତ ତଥ୍ୟାବଳି ପ୍ରଘଟ ହୋଇଯିବା) ହେବାରୁ ବିଶ୍ବବ୍ୟାପୀ ପ୍ରାୟ ୪୫,୦୦,୦୦୦ ବ୍ୟକ୍ତିଙ୍କର ବ୍ୟକ୍ତିଗତ ତଥ୍ୟାବଳି ‘ଲିକ୍’ ହୋଇଯାଇଛି। ‘ଲିକ୍’ ହୋଇଥିବା ତଥ୍ୟାବଳି ସବୁ ୨୦୧୧ ଅଗଷ୍ଟ ୨୬ ରୁ ୨୦୨୧ ଫେବ୍ରୁଆରି ୩ ତାରିଖ ମଧ୍ୟରେ ସଂଗୃହୀତ ହୋଇଥିଲା। ଏଥିରେ ନାମ, ଜନ୍ମ ତାରିଖ, ଯୋଗାଯୋଗ ସୂଚନା, ପାସ୍ପୋର୍ଟ ସୂଚନା, ଟିକେଟ୍ ବିବରଣୀ, କ୍ରେଡିଟ୍ କାର୍ଡ ଡାଟା ଭଳି ବ୍ୟକ୍ତିବିଶେଷଙ୍କର କେତେକ ବ୍ୟକ୍ତିଗତ ତଥ୍ୟାବଳି ରହିଛି।
ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆର ତଥ୍ୟ ଚୋରି ହେବାଦ୍ୱାରା ପ୍ରାୟ ୪୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସାଇବର ଆକ୍ରମଣରେ ଏୟାର ଇଣ୍ଡିଆର ତଥ୍ୟ ଚୋରି ସମୟରେ ଏହି ଲୋକଙ୍କର ନାମ, ଜନ୍ମ ତାରିଖ, ଯୋଗାଯୋଗ ସମ୍ପର୍କିତ ସୂଚନା, ଟିକେଟ ସୂଚନା ଏବଂ କ୍ରେଡିଟ କାର୍ଡ, ପାସପୋର୍ଟ ସମ୍ପର୍କିତ ତଥ୍ୟ ମଧ୍ୟ ଚୋରି ହୋଇଥିବା ଜଣାଯାଇଛି। ପ୍ରକାଶ ଯେ ସାଇବର ଅପରାଧୀମାନେ ଜେନେଭାସ୍ଥିତ ଯାତ୍ରୀ ପରିବହନକାରୀ ସଂସ୍ଥା ଏସଆଇଟିଏ ତଥ୍ୟକୁ ଚୋରି କରିନେଇଛନ୍ତି। ଯେଉଁଥିରେ ଏୟାର ଇଣ୍ଡିଆର ତଥ୍ୟ ରହିଥିଲା। ଏହି ସମସ୍ତ ତଥ୍ୟ ଏୟାର ଇଣ୍ଡିଆ ନିକଟରେ ୨୦୧୧ ଅଗଷ୍ଟ ୨୬ରୁ ୨୦୨୧ ଫେବ୍ରୁଆରୀ ୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ଦଶ ବର୍ଷ ମଧ୍ୟରେ ପଞ୍ଜିକୃତ ବିମାନ ଯାତ୍ରୀଙ୍କର ବୋଲି ବିମାନ ଚଳାଚଳ ସଂସ୍ଥା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଏସଆଇଟିଏ ବିଶ୍ୱର କେତେକ ପ୍ରମୁଖ ବିମାନ ଚଳାଚଳ ସଂସ୍ଥାକୁ ସେବା ଯୋଗାଇଥାଏ, ଯେଉଁଥିରେ ସିଙ୍ଗାପୁର ଏୟାରଲାଇନ୍ସ, ଲୁଫଥାନ୍ସା ଏବଂ ୟୁନାଇଟେଡ ଏୟାର ସହିତ ଏୟାର ଇଣ୍ଡିଆ ମଧ୍ୟ ରହିଛି। ଏୟାର ଇଣ୍ଡିଆ ପକ୍ଷରୁ ତାହାର ଗ୍ରାହକମ।।ନଙ୍କୁ ଇ-ମେଲ ଜରିଆରେ କୁହାଯାଇଛି ଯେ କମ୍ପାନୀକୁ ପ୍ରଥମେ ୨୦୨୧ ଫେବ୍ରୁଆରୀ ୨୫ରେ ଏହାର ଡାଟା ପ୍ରୋସେସରରୁ ପ୍ରଥମ ସୂଚନା ମିଳିଥିଲା। ପରେ ଏପ୍ରିଲ ୫ ତାରିଖରେ ମଧ୍ୟ ଦ୍ୱିତୀୟ ଦଫା ସୂଚନା ମିଳିଥିଲା। ତେବେ ଗ୍ରାହକଙ୍କର ପାସୱାର୍ଡ ସମ୍ପର୍କିତ ତଥ୍ୟ ସୁରକ୍ଷିତ ରହିଥିବା ଏହା ସ୍ପଷ୍ଟ କରିଛି। ଏ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ଏବଂ କ୍ରେଡିଟକାର୍ଡ ବ୍ୟବହାରକାରୀ ତୁରନ୍ତ ସେମାନଙ୍କର ପାସୱାର୍ଡ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି।