ସ୍ଥିତି ଅନୁଧ୍ୟାନ ପରେ ଦଶମ ଶ୍ରେଣୀ ପରୀକ୍ଷା ନେଇ ଚିନ୍ତା କରିବୁ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଦେଶ ତଥା ରାଜ୍ୟରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଫଳରେ ଏହାକୁ ନେଇ ଜନଜୀବନ ପୁଣି ଥରେ ପ୍ରଭାବିତ ହେବାକୁ ଲାଗିଲାନି । ଏହାରି ମଧ୍ୟରେ ସିବିଏସଇ ଦ୍ୱାରା ଦଶମ ପରୀକ୍ଷା ବାତିଲ ନେଇ ବୁଧବାର ଘୋଷଣା ହୋଇଛି । ଏହାପରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ରଖି ବର୍ତ୍ତମାନ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ ବୋଲି କହିଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ସୂଚନା ଯେ, କେନ୍ଦ୍ର ସରକାର ସିବିଏସଇ ବୋର୍ଡ ପରୀକ୍ଷା ବାତିଲ୍ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ କେଉଁ ଆଧାରରେ ମାର୍କ ଦିଆଯିବ ସେ ନିଷ୍ପତ୍ତ ସିବିଏସଇ ବୋର୍ଡ ନିଷ୍ପତ୍ତି ନେବ । ମାର୍କରେ ସନ୍ତୁଷ୍ଟ ନହେଲେ ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ । ସେପଟେ ବର୍ତ୍ତମାନ ପାଇଁ ସିବିଏସଇ ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜୁନ୍ ୧ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ।