୫ ଦିନ ପରେ ମିଳିଲା ନିଖୋଜ ବୋଟ୍ର ପତା, ୧୩ ମତ୍ସ୍ୟଜୀବୀ ସୁରକ୍ଷିତ
ଜଗତସିଂହପୁର : ୫ଦିନ ହେଲା ଗଭୀର ସମୁଦ୍ରରେ ନିଖୋଜ ଥିବା ୨ବୋଟ୍ ସହ ଯୋଗଯୋଗ ହୋଇପାରିଛି । ସେଥିରେ ଥିବା୧୩ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଅଛନ୍ତି । ସେମାନେ ଏବେ ପାରାଦୀପରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅଛନ୍ତି । କିଛି ସମୟ ପରେ ସେମାନେ ଉପକୂଳରେ ପହଂଚିବେ । ସୋମବାର ଏହି ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା ।
ସେ କହିଛନ୍ତି, କିଛି ସମୟ ପୂର୍ବରୁ ସେମାନଙ୍କ ସହିତ ସଂଯୋଗ ସ୍ଥାପନ ହୋଇଥିଲା । ସମୁଦ୍ରରେ ନେଟୱର୍କ ଠିକ୍ ନ ଥିବାରୁ ସେମାନଙ୍କ କଥା ଭଲରେ ଶୁଣାଯାଉନଥିଲା । ଆଗରୁ ମଧ୍ୟ ସମୁଦ୍ରରେ ନେଟୱର୍କ ଠିକ ନ ଥିବାରୁ ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉ ନଥିଲା ବୋଲି ଆମେ ଭାବୁଛୁ । ପାରାଦୀପର ଉତରକୁ ପ୍ରାୟ ୯୦ ନଟିକାଲ ମାଇଲ୍ ଦୂରରେ ବାଂଲାଦେଶ ଉପକୂଳରେ ସେମାନେ ଥିଲେ । ସେମାନେ ସମସ୍ତେ ଫେରିବା ପରେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି କହିଛନ୍ତି । ନିଖୋଜ ଥିବା ୧୩ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇନଥିଲେ । ଏକ ଘରୋଇ କମ୍ପାନୀ ଭଡ଼ାରେ ୨ଟି ବୋଟ୍ ନେଇଥିଲା ବୋଲି ସୂଚନା ମିଳିଛି । ଏନେଇ ବୋଟ୍ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଚିଠି ମୁତାବକ, ପାରାଦୀପଠାରୁ ୮୮ ନଟିକାଲ୍ ମାଇଲ୍ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍ (ଆଇଏନ୍ଡି ଓଆର୍–୦୪ ଏମ୍ଏମ୍ ୨୬ ଓ ଆଇ୍ଏନ୍ଡି ଓଆର୍–୦୪ ଏମ୍ଏମ୍ ୩୧୪)ର ପତା ମିଳୁନି । ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍ରେ ଚାଳକଙ୍କୁ ମିଶାଇ ୭ ଜଣ ମତ୍ସ୍ୟଜୀବୀ ଥିଲେ । ଅନ୍ୟଜଣେ ଟ୍ରଲର ମାଲିକ ସସ୍ମିତା ବରାଳଙ୍କ ଅଭିଯୋଗ ମୁତାବକ, ତାଙ୍କର ଟ୍ରଲର୍ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ । ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଂଚି ନଥିଲେ । ଉଭୟ ମାଲିକ ଟ୍ରଲର୍ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ । ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା । ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତା ମିଳି ନଥିଲା । ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ ।
ସୂଚନା ଯେ, ୫ଦିନ ତଳେ କିନାରା ଓ ଦେବୀ ଲକ୍ଷ୍ମୀ ନାମକ ମାଛ ଧରା ବୋଟ୍ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିଲେ । ବୋଟ୍ ୨ଟି ଗଭୀର ସମୁଦ୍ର ଭିତରକୁ ଯିବା ପରେ କୌଣସି ଯୋଗାଯୋଗ ହୋଇପାରି ନଥିଲା । ଏଥିପାଇଁ ବୋଟ୍ ମାଲିକ ଚିନ୍ତିତ ହୋଇ ପଡ଼ିଥିଲେ । ଏନେଇ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ । ଆଜି ସକାଳେ ନିଖୋଜ ଥିବା ବୋଟ୍ ସହ ଯୋଗାଯୋଗ ହୋଇଥିଲା ବୋଲି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଥିଲେ ।