ଡେଲଟା ପ୍ଲସ୍ ସଂକ୍ରମଣରୁ ରକ୍ଷା ପାଇଁ କୋଭିଡ୍ ନିୟମ ମାନିବାକୁ ପରାମର୍ଶ : ଡିଏମଇଟି

ଭୁବନେଶ୍ୱର : କୋଭିଡ-୧୯ ଭାଇରସର ‘ଡେଲଟା ପ୍ଲସ୍’ ଭାରିଏଂଟରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ କୁ ସଠିକ୍ ଭାବେ ପାଳନ କରିବାର ଆବଶ୍ୟକତା ରହିଛି । ଡେଲଟା ପ୍ଲସ୍ ସଂକ୍ରମଣର କ୍ଷମତା, ଗୁରୁତର ଓ ପ୍ରଭାବକୁ ଏବେ ଅନୁଧ୍ୟାନ କରାଯାଉଛି ବୋଲି ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ (ଡିଏମଇଟି) ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।
ଡାକ୍ତର ମହାନ୍ତି କହିଛନ୍ତି ଯେ, ଡେଲଟା ପ୍ଲସକୁ ନେଇ ସବୁସ୍ତରରେ ଅଧିକ ଅନୁଧ୍ୟାନ କରାଯାଉଛି । ରାଜ୍ୟ ସରକାର, ଭାରତ ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ମଧ୍ୟ ଡେଲଟା ପ୍ଲସ ସଂସ୍କରଣକୁ ନେଇ ଚିନ୍ତିତ ଅଛି । କେନ୍ଦ୍ର ସରକାର ମଧ୍ୟ ପୂର୍ବରୁ ଡେଲଟା ପ୍ଲସ ସଂସ୍କରଣକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାକୁ ଭାରିଏଂଟ ଅଫ କନସର୍ନ ଭାବେ ଘୋଷଣା କରିସାରିଛନ୍ତି । କିଛି ରାଜ୍ୟରେ ୨୨ଟି ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ ହୋଇଛି । ଏହା ଡେଲଟା ଭାଇରସର ଏକ ମ୍ୟୁଟେସନ । ଡେଲଟା ପ୍ଲସକୁ ନେଇ ସବୁ ସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି । ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ତେଣୁ କୋଭିଡ୍ ନିୟମ ପାଳନ କରନ୍ତୁ । ନିୟମ ନଭାଙ୍ଗି କୋଭିଡ୍ ନିୟମ ମାନିଲେ ତୃତୀୟ ଲହରକୁ ବି ଏଡ଼ାଇ ଦେଇ ହେବ ବୋଲି ଡାକ୍ତର ମହାନ୍ତି କହିଛନ୍ତି ।