୨୪ରୁ ଘରକୁ ଘର କୋଭିଡ୍ ସର୍ଭେ ପାଇଁ ଆକ୍ସନ୍ ପ୍ଲାନ୍
- ଦିନକୁ ଅତିକମରେ ୨୦ଟି ଘର ବୁଲି ଆକ୍ରାନ୍ତ ଚିହ୍ନଟ କରିବେ ଆଶାକର୍ମୀ
- କୋଭିଡ୍ ପରିଚାଳନା ପାଇଁ ମିଳିବ ୧୦ ହଜାର ଟଙ୍କା
ଭୁବନେଶ୍ୱର : କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ୧୦ ହଜାର ଟଙ୍କା ମିଳିବ । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ଆଶାକର୍ମୀମାନଙ୍କୁ ଏକକାଳୀନ ଏହି ସହାୟତା ପ୍ରଦାନ କରାଯିବ । ଏସମ୍ପର୍କରେ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଏହି ଟଙ୍କାରେ ଆଶାକର୍ମୀ ସାଇକେଲ୍, ଛତା, ପାଣି ବୋତଲ, ଚପଲ, ସାବୁନ୍ ଆଦି କିଣିପାରିବେ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମଇ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଏସମ୍ପର୍କରେ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆକ୍ସନ ପ୍ଲାନ୍ ଅନୁଯାୟୀ ପ୍ରତିଦିନ ଘରକୁ ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଆକ୍ରାନ୍ତ ବ୍ୟକ୍ତିଙ୍କୁ ଔଷଧ ଦେବା ସହ ଆବଶ୍ୟକ ହେଲେ ହସ୍ପିଟାଲ ପଠାଇବାକୁ କୁହାଯାଇଛି । ଲକ୍ଷଣ ଥିଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବେ । ଆଶାକର୍ମୀ ଲିଫଲେଟ୍ ବାଂଟି ଲୋକଙ୍କୁ ମାସ୍କ ବ୍ୟବହାର ଓ ହାତ ଧୋଇବା ସମ୍ପର୍କରେ ସଚେତନ କରାଇବେ । ଆଶାକର୍ମୀ ଦୈନିକ ୨୦ଟି ଘର ବୁଲି ସର୍ଭେ କରିବେ ।