ବିଂଶ ଶତାବ୍ଦୀର ଦୁଇ ମହାପୁରୁଷଙ୍କ ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ପ୍ରେରଣା ଯୋଗାଇବ : ମୁଖ୍ୟମନ୍ତ୍ରୀ
କ୍ୟାଣ୍ଟନମେଣ୍ଟ ରୋଡରେ ଗୋପବନ୍ଧୁଙ୍କ ଷ୍ଟାଚ୍ୟୁ ଅଫ୍ ହ୍ୟୁମାନିଟି ଓ ବେଲଭ୍ୟୁ ଛକରେ ମହାତ୍ମା ଗାନ୍ଧିଙ୍କ ମ୍ୟୁରାଲ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ : ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧି ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଏହାକୁ ମାନବତାର ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍ ହ୍ୟୁମାନିଟି ନାମରେ ନାମିତ କରାଯାଇଛି । ଓଡିଶାର ମାନବତାର କଥା ଆସିଲେ ପ୍ରଥମେ ଗୋପବନ୍ଧୁଙ୍କୁ ହିଁ ମନେ ପଡନ୍ତି । ଦୀନ ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର୍ଯ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି । ସେ ଥିଲେ ମାନବତାର ମହାନ୍ ଉଦଗାତା । ଗୋପବନ୍ଧୁଙ୍କ ମୂର୍ତ୍ତି ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।
ସେହିପରି ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି । ମହାତ୍ମା ଗାନ୍ଧି ତାଙ୍କର ଓଡିଶା ଗସ୍ତର ପ୍ରଥମ ଚରଣ କଟକ କାଠଯୋଡି ନଦୀବାଲିରେ ଆୟୋଜିତ ଏକ ବିରାଟ ଜନ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କର ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାଠଯୋଡିର ବେଲଭ୍ୟୁ ଛକରେ ନିର୍ମିତ ଗାନ୍ଧି ଭିତ୍ତି ସ୍ଥାପତ୍ୟ କଳାର ଲୋକାର୍ପଣ ମଧ୍ୟ କରିଥିଲେ । ଏଥିରେ ଗାନ୍ଧିଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତିକୁ ସୁନ୍ଦର ଭାବରେ ପ୍ରସ୍ଫୁଟିତ କରାଯାଇଛି । ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ । ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧି ସାରା ବିଶ୍ୱକୁ ନୂତନ ଦିଗ୍ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତା’ର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି । ମହାତ୍ମା ଗାନ୍ଧି ୧୯୨୧ରୁ ୧୯୪୬ ମଧ୍ୟରେ ୮ ଥର ଓଡିଶା ଆସିଥିଲେ ଓ ଓଡିଶାର ବିଭିନ୍ନ ଅଂଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ । ଆଜି ଓଡିଶା ଦିବସରେ ବିଂଶ ଶତାବ୍ଦୀର ଦୁଇ ମହାପୁରୁଷଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ସୁବାସ ସିଂହ, ବିଧାୟକ ମହମ୍ମଦ ମୋକିମ, ସୈାଭିକ ବିଶ୍ୱାଳ, ଚନ୍ଦ୍ରସାରଥୀ ବେହେରାଙ୍କ ସମେତ ସମାଜ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।