କୋହଲିଙ୍କ ପାଇଁ ବିରଳ କୀର୍ତ୍ତିମାନ ସୁଯୋଗ; ଟି-୨୦ରେ ଖେଳିବେ ୧୦୦ତମ ମ୍ୟାଚ୍
ଦୁବାଇ : ଏସିଆ କପ୍ରେ ରବିବାର ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଖେଳିଲେ ବିରାଟ କୋହଲି ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିସାରିଥିବା କୋହଲି ପାକିସ୍ତାନ ବିପକ୍ଷ ଏସିଆ କପ୍ ମୁକାବିଲାକୁ ଓହ୍ଲାଇଲେ ଏହା ତାଙ୍କର ୧୦୦ତମ ମ୍ୟାଚ୍ ହେବ। ଆଉ ଏହାପରେ ସେ କ୍ରିକେଟ୍ର ସମସ୍ତ ଫର୍ମାଟ୍ରେ ୧୦୦ ବା ତା’ଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଯିବେ। କୋହଲି ଏବେ ସୁଦ୍ଧା ଖେଳିଥିବା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ୫୦.୧୨ ହାରରେ ୩୩୦୮ ରନ୍ ସଂଗ୍ରହ କରିସାରିଛନ୍ତି। ଏହି ଫର୍ମାଟ୍ରେ ତାଙ୍କର ଶ୍ରେଷ୍ଠ ପାଳି ଅପରାଜିତ ୯୪ ରହିଛି। ସେ ମଧ୍ୟ ଟି-୨୦ ଆନ୍ତର୍ଜାତିକରେ ମୋଟ ୩୦ ଅର୍ଦ୍ଧଶତକ ହାସଲ କରିସାରିଛନ୍ତି।
ସେ ବିଶ୍ୱର ଜଣେ ପ୍ରମୁଖ ଖେଳାଳି ହୋଇଥିବାରୁ ତାଙ୍କର କ୍ରମାଗତ ବିଫଳତା ନେଇ କ୍ରିକେଟ୍ ମହଲରେ ବଡ଼ ଚର୍ଚ୍ଚା ଜାରି ରହିଛି । ବର୍ତ୍ତମାନ ୨ମାସ ଧରି ସେ ବିଶ୍ରାମ ନେଉଥିବା ବେଳେ ଏସିଆ କପ୍ରେ ପୁଣି ଭାଗ୍ୟ ପରୀକ୍ଷା କରିବେ । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ରବିବାର ଦିନ ପାକିସ୍ତାନ ବିପକ୍ଷ ଏସିଆ କପ୍ ମୁକାବିଲା ଚର୍ଚ୍ଚାରେ ଥିବାବେଳେ କୋହଲିଙ୍କ ପ୍ରଦର୍ଶନ ନିଆରା ରହିବ । କାରଣ ସେ ପାକିସ୍ତାନ ବିପକ୍ଷରେ ସବୁବେଳେ ଭଲ ଖେଳି ଆସିଛନ୍ତି । କୋହଲି ଭାରତ ପାଇଁ ପାକିସ୍ତାନ ବିକ୍ଷରେ ୭ ଟି-୨୦ ମ୍ୟାଚ୍ ଖେଳି ୩ ଅର୍ଦ୍ଧଶତକ ସହ ୩୧୧ ରନ୍ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ବିରୁଦ୍ଧରେ ଖେଳି କୋହଲି ଆଉ ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିବେ । ଏହା ହେବ ତାଙ୍କର ୧୦୦ତମ ଟି- ୨୦ ଆନ୍ତର୍ଜାତୀୟ ମ୍ୟାଚ୍ । ଭାରତର ପ୍ରଥମ ଖେଳାଳି ଭାବେ ୩ ଫର୍ମାଟ୍ରେ ୧୦୦ରୁ ଉଦ୍ଧ୍ୱର୍ ଲେଖାଏଁ ମ୍ୟାଚ୍ ଖେଳିବାରେ ସେ ଏକ ରେକର୍ଡ ପ୍ରତିଷ୍ଠା କରିବେ । ତେଣୁ ସବୁଠାରୁ ଗୁରୁତ୍ୱୂର୍ଣ୍ଣ କଥା ହେଉଛି ଯେ, ଏସିଆ କପ୍ରେ ବିଫଳ ହେଲେ ବଡ଼ ସମସ୍ୟାର ସମ୍ମୁଖୀନ ହେବେ । କାରଣ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଦଳ ଚୟନ କରିବା ସକାଶେ ବିସିସିଆଇ ଚୟନକର୍ତ୍ତାମାନେ ପ୍ରୟାସ ଜାରି ରଖିଛନ୍ତି । ତେଣୁ ଏସିଆ କପ୍ରେ ସଫଳ ହେଲେ ସେ ନିଶ୍ଚିତ ବିଶ୍ୱକପ୍ ଦଳରେ ସ୍ଥାନ ପାଇବେ ।