ହକି ମ୍ୟାଚ୍ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଉଷ୍ମତା ପାଇଁ ସିଏମସିର ବ୍ୟାପକ ପ୍ରସ୍ତୁତି ୩ରୁ ୧୧ ପର୍ଯ୍ୟନ୍ତ ସଭା
ଶୋଭାଯାତ୍ରା ସହ କ୍ରୀଡା ପ୍ରତିଯୋଗିତା ସହିଦ ଭବନରେ କ୍ରୀଡା କ୍ଲବ୍ଗୁଡିକୁ ନେଇ ବୈଠକ
କଟକ : ବାରବାଟୀ ଷ୍ଟାଡିୟମରେ ୧୧ ତାରିଖରେ ହେବାକୁ ଥିବା ବିଶ୍ୱକପ୍ ହକି ଉଦ୍ଘାଟନୀ ଉତ୍ସବ ପୂର୍ବରୁ କଟକ ସହରରେ କ୍ରୀଡାର ମାହୋଲ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ୍ ବେଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆସନ୍ତା ୩ ରୁ ୧୧ ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହକି ପାଇଁ ଉଷ୍ମତା ସୃଷ୍ଟି କରାଯିବ । ଏ ସଂପର୍କରେ ଆଜି ସିଏମସି ବିଜୁଭବନଠାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ୧୦ ତାରିଖ ରାତିରେ ଟ୍ରଫି କଟକ ସହରରେ ପହଂଚିବା ପରେ ଏହାକୁ ସ୍ୱାଗତ କରାଯାଇ ୧୧ ତାରିଖ ସକାଳୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବ ଏବଂ ଅପରାହ୍ନ ୩ଟା ସୁଦ୍ଧା ବାଲିଯାତ୍ରା ତଳ ପଡିଆରେ ଏହାକୁ ରଖାଯିବ । ସହରର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ କ୍ରୀଡାବିତ୍, କ୍ରୀଡାପ୍ରେମୀ ଯୁବକ ଯୁବତୀ, ବରିଷ୍ଠ ନାଗରିକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଉଷ୍ମତା କାର୍ଯ୍ୟକ୍ରମରେ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡିଛି । ଜାନୁଆରୀ ୩ ତାରିଖରେ ସହରର ସମସ୍ତ ପୂଜା ଓ ଶାନ୍ତି କମିିଟିର କର୍ମକର୍ତ୍ତା, ସଦସ୍ୟ ଓ ସାହି ମୁରବିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ସେଥିରେ ବିଭିନ୍ନ ସାହିବସ୍ତି ଓ ମହଲାରେ ଯେପରି ହକିର ମାହୋଲ ସୃଷ୍ଟି ହେବ ସେଥିପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସେହିପରି ୪ ତାରିଖରେ ସହିଦଭବନରେ ସହରର ସମସ୍ତ ସ୍ପୋଟିଂ କ୍ଲବ୍ ର କର୍ମକର୍ତ୍ତା, ସଦସ୍ୟ ଓ କ୍ରୀଡାବିତମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ପ୍ରତି ୱାର୍ଡରେ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯାଇ କୃତୀ ଖେଳାଳିମାନଙ୍କୁ ପୁରସ୍କୃତ କରାଯିବ । ଏତଦ୍ବ୍ୟତୀତ ୬ ତାରିଖ ଦିନ ସହରର ମାନ୍ୟଗଣ୍ୟ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବୈଠକ କରାଯାଇ ସେମାନଙ୍କୁ ଏହି ମହୋତ୍ସବରେ ସାମିଲ କରାଯିବ । ହକି ଉଦ୍ଘାଟନୀ ଉତ୍ସବ ପୂର୍ବରୁ ସହରର ସୈାନ୍ଦର୍ଯ୍ୟକରଣ ଓ ହକି ଥିମ୍କୁ ନେଇ ଚାଲିଥିବା ପେଟିଂ କାମ ଶେଷ ପର୍ଯ୍ୟାୟରେ ପହଂଚିଥିଲା ବେଳେ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନ ଚିହ୍ନଟ କରାଯାଇଛି । ସେଠାରେ ବିରାଟ ଏଲଇଡି ସ୍କ୍ରିନ୍ ଲଗାଯିବା ସହ ସାଉଣ୍ଡ ସିଷ୍ଟମ୍ ଏବଂ ଏକ ହଜାର ଲୋକ ବସିଲା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯିବ । ଉକ୍ତ ୧୬ଟି ସ୍ଥାନ ମଧ୍ୟରେ ମୁଖ୍ୟତଃ ବକ୍ସବଜାରସ୍ଥିୁତ ଗୋପବନ୍ଧୁ ବାଗ, ଆନନ୍ଦ ଭବନ ନିକଟ ଖ୍ରୀଷ୍ଟିୟାନ ପଡିଆ, ଗୈାରୀଶଙ୍କର ପାର୍କ, ନିମପୁର ସ୍ପୋର୍ଟସ୍ ଗ୍ରାଉଣ୍ଡ, ନୂଆପାଟଣା ସହିଦ ପାର୍କ, ପୋତାପୋଖରୀସ୍ଥିତ ନେତାଜୀ ଖେଳ ପଡିଆ, ଓଏମ୍ପି ଛକ ନିକଟ ଚାଉଳିଆଗଂଜ ଖେଳ ପଡିଆ, ସହିଦ ଭବନ କ୍ୟାମ୍ପସ, ପଂଚମୁଖୀ ହନୁମାନ ମନ୍ଦିର ପଡିଆ ଓ ବେଲଭ୍ୟୁ ପାର୍କ ଅନ୍ତର୍ଭୁକ୍ତ । ସେହିପରି ୱାର୍ଡ ସ୍ତରରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି । ମୋଟ୍ ୫୯ଟି ୱାର୍ଡର ବିଭିନ୍ନ ସ୍ଥାନରେ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ଏଲଇଡି ବ୍ୟବସ୍ଥା କରାଯାଇଛି । ଏତଦ୍ବ୍ୟତୀତ ବସ୍ତିବାସିନ୍ଦା ଯେପରି ଏହି ଉଦଘାଟନୀ ଉତ୍ସବର ସିଧା ପ୍ରସାରଣକୁ ଉପଭୋଗ କରିପାରିବେ ସେଥିଲାଗି ବାଲିସାହି, ନିମପୁର ଓ ଲଖନପୁର ଭଳି ବଡ ବସ୍ତିରେ ଏଲଇଡି ବ୍ୟବସ୍ଥା ହୋଇଛି । ଜାନୁଆରୀ ୧୦ ତାରିଖ ରାତିରେ ବିଦ୍ୟାଧରପୁରରେ ଟ୍ରଫି ପହଂଚିବା ପରେ ୧୧ ତାରିଖ ସକାଳୁ ସାଇ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଟ୍ରଫିକୁ ସହର ଭିତରକୁ ଅଣାଯିବ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ବକ୍ସିବଜାରସ୍ଥିତ ‘ସମାଜ’ କାର୍ଯ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଚଣ୍ଡିମନ୍ଦିର, ଚାନ୍ଦିନିଚୈାକ ଛକ, ସିଡିଏ ସେକ୍ଟର-୯, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ନିଆଯାଇ ଅପରାହ୍ନ ୩ଟାରେ ବାଲିଯାତ୍ରା ତଳ ପଡିଆରେ ରଖାଯିବ । ଅନୁଷ୍ଠିତ ବୈଠକରେ ମେୟର ସୁବାସ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝି, ସିଏମସି ୱାର୍କସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଖୁଣ୍ଟିଆ, ଡେପୁଟି କମିଶନର ଅମୀୟ ପଣ୍ଡା, ଅଜୟ ମହାନ୍ତି, ସିଟି ଇଂଜିନିୟର ଅତନୁ ସାମନ୍ତ, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।