ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ; ଇସାଣୀ ଦଳ ଚମ୍ପିୟାନ
ରେମୁଣା : ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତର ଟିଣା ଉଡ଼ା ପଡ଼ିଆରେ ରବିବାର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ମୁନିପଦା, ଟିଣା, ମାଳ, ନରହରିପୁର, କାହାଳିଆ, ବାଲେଶ୍ୱର, ଇସାଣୀ ଓ କଚୁଆ ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ ।
ମା’ ଖଣ୍ଡାବାସୁଳୀ ଫୁଟବଲ ଟୁର୍ଣ୍ଣାମେଣ୍ଟ (ଟିଣା)କୁ ସମାଜସେବୀ ତଥା ରେମୁଣା ସ୍ୱାଭିମାନ ମଞ୍ଚ ସଭାପତି ଡା. ଶ୍ରୀମାଧବ ସେଠୀ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସମସ୍ତ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ସଚେତନ କରାଇ କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହା ଦ୍ବାରା ଏକ ସମାବେଶୀ ତଥା ସମର୍ଥ ସମାଜ ଗଠନ ହୋଇପାରିବ । ବିଭିନ୍ନ କ୍ରୀଡ଼ାରେ ଯୁବଗୋଷ୍ଠୀଙ୍କ ଦକ୍ଷତା ରହିଥାଏ । ହେଲେ ସେମାନଙ୍କୁ ସୁଯୋଗ ମିଳେନାହିଁ । ପ୍ରତିଭା ଥାଏ ହେଲେ ତାହା ଫୁଟି ପାରେ ନାହିଁ । ଆର୍ଥିକ ସମସ୍ୟା ବାଟ ଓଗାଳି ଥାଏ, ଫଳରେ ବଣ ମଲ୍ଲୀ ବଣରେ ହିଁ ମଉଳି ଯାଏ । କ୍ରୀଡ଼ା ପ୍ରତିଭାକୁ ସୁଯୋଗ ମିଳିଲେ ତଥା ପ୍ରୋତ୍ସାହନ ମିଳିଲେ ସେମାନେ ତାଙ୍କର କ୍ରୀଡ଼ା ପ୍ରଦର୍ଶନ କରିପାରିବେ । ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବାର କହିଥିଲେ । ବରୁଣସିଂର ପୂର୍ବତନ ସମିତିସଭ୍ୟ ଅମୃତାଲାଲ ଦାସପଟ୍ଟନାୟକ ଉପସ୍ଥିତ ଥିଲେ । ଅଂଶଗ୍ରହଣ କରିଥିବା ୮ଟି ଦଳ ମଧ୍ୟରେ ଚିତାକର୍ଷକ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚ୍ ଇସାଣୀ ଓ ନରହରିପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇସାଣୀ ଦଳ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିଥିଲେ ।
ଉଦ୍ଯାପନୀ ଉତ୍ସବରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଯୁବ ସଂଗଠକ ବଂଶୀଧର ଦଳେଇ, ନାରୀ ନେତ୍ରୀ ଉର୍ମିଳା ବେହେରା ଓ ରଞ୍ଜିତା ସାସମଲ ଉପସ୍ଥିତ ଥିଲେ । ଭବେଶ କୁମାର ଦାସ, ଗଗନ ଦଳେଇ, ପ୍ରପତି ଦଳେଇ, ରଞ୍ଜିତ ଦଳେଇ, ସନ୍ତୋଷ ଦଳେଇ, ଚଗୁଲୁ ଦଳେଇ, ଟୁନା ଦଳେଇ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।