‘ଓୟୁଡବ୍ଲ୍ୟୁଜେ’ପକ୍ଷରୁ ବିଶେଷ ଆଲୋଚନାଚକ୍ର
ବାଲେଶ୍ୱର : ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲ୍ୟୁଜେ) ବାଲେଶ୍ୱର ଶାଖା ପକ୍ଷରୁ ଶୁଭ ଦୀପାବଳି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଏବଂ ‘ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ଗତି’ ଶୀର୍ଷକ ଏକ ଆଲୋଚନାଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭାଷା ସାହିତ୍ୟ ଓ ସଂସ୍କୃତି ଭଳି ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ବାଲେଶ୍ୱର ଜିଲା ବେଶ ଆଗରେ ରହିଛି ବୋଲି ସେ କହିଥିଲେ । ଏଇଠାରୁ ସାମ୍ବାଦିକତା ଆରମ୍ଭ କରି ବହୁ ସାମ୍ବାଦିକ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରି ଜିଲାକୁ ଗୌରବାନ୍ୱିତ କରିପାରିଛନ୍ତି । ତେବେ ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଯେ କୌଣସି ଇସ୍ୟୁରେ ବାଲେଶ୍ୱରର ସାମ୍ବାଦିକମାନେ ତାଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରତିଟି ସମୟରେ ସହଯୋଗ ନିମନ୍ତେ ପ୍ରସ୍ତୁତ ଅଛନ୍ତି ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ପ୍ରତିଶ୍ରୁତି ଦେଇଥିଲେ । ‘ସମାଜ’ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲିକ ଏଥରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ସ୍ଥିତି ଓ ଗତି’ ଶୀର୍ଷକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ତେବେ ସାମ୍ବାଦିକମାନେ ନିଜର ସ୍ଥିତି ତଥା ସୁରକ୍ଷାକୁ ଗୁରୁତ୍ୱ ଦେଇ ନୀତି ଅନୁସରଣ ପୂର୍ବକ ନିରପେକ୍ଷତା ଅବଲମ୍ବନ କରିବା ଉଚିତ ବୋଲି ସେ କହିଥିଲେ । ‘ଓୟୁଡବ୍ଲ୍ୟୁଜେ’ର ଜିଲା ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର ଏଥିରେ ସଭାପତିତ୍ୱ କରିବା ସହିତ ସମ୍ପ୍ରତି ମୌଳିକ ଆଦର୍ଶରୁ ଦୂରେଇ ଯାଉଥିବା କିଛି ଗଣମାଧ୍ୟମ ଓ କାମଳ ସାମ୍ବାଦିକତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଅଭୟ ଦାସଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ନରିଞ୍ଜନ ଦାସ, କର୍ମକର୍ତ୍ତା ସନ୍ଦୀପ୍ତ ଦାସ, ମିହିର ମହାପତ୍ର, ସମାଜସେବୀ ତଥା ଆଇନଜୀବୀ ଜ୍ୟୋତ୍ସ୍ନା ମହାନ୍ତି ପ୍ରମୁଖ ସାମ୍ବାଦିକତା ଓ ଗଣମାଧ୍ୟମର ସ୍ଥିତିକୁ ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଘର ସମ୍ପରଣିକା ‘ଜାଗରଣ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଂଘର ସମ୍ପାଦକ ରବିରଞ୍ଜନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ୱରର ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।