ଆଜି ପୌର ନିର୍ବାଚନ : ୪୩୭୩ ବୁଥରେ ଭୋଟ୍ ଦେବେ ୪୦.୫୫ଲକ୍ଷ ଭୋଟର
ସକାଳ ୮ଟାରୁ ସଂଧ୍ୟା ୫ ଟା ଯାଏଁ ଭୋଟ ଗ୍ରହଣ
ମୁତୟନ ହେବେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର : ଗୁରୁବାର ପୌରାଂଚଳ ଗୁଡିକରେ ମତଦାନ ହେବ । ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ସଂଧ୍ୟା ୫ ଟା ଯାଏଁ ଭୋଟ ଗ୍ରହଣ କରାଯିବ । ମ୍ୟୁନିସିପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ । ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍ରେ ୪୦ ଲକ୍ଷ ୫୫ ହଜାର ମତଦାତା ସେମାନଙ୍କର ମତାଧିକାର ପ୍ରୟୋଗ କରିବେ ।ଏହା ପୂର୍ବରୁ ବୁଧବାର ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍ରେ ପହଂଚିଛନ୍ତି । ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ।
ନିର୍ବାଚନକୁ,ସୁଚାରୁ ରୂପେ କରାଇବାକୁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ପୋଲିଂ ପାର୍ଟି ରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଅବାଧ ରୂପେ କରିବାକୁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେଥିମଧ୍ୟରୁ ବିଏମ୍ସି ପାଇଁ ୩୦, ସିଏମ୍ସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହା ବ୍ୟତୀତ ୩୦୦ ମୋବାଇଲ ପାର୍ଟି ରହିବେ । ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ । ପ୍ରତି ବୁଥ୍ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ ନ ହେଲେ ସଶସ୍ତ୍ର ପୁଲିସ୍ ମୁତୟନ ରହିବେ । ଅପରପକ୍ଷରେ ବ୍ରହ୍ମପୁର କର୍ପୋରେସନର ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ୍ିଟି ଓ କର୍ପୋରେସନର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀ ନିର୍ଦନ୍ଦରେ ମନୋନୀତ ହୋଇଛନ୍ତି । ସେହିପରି ନକଲି ଭୋଟରଙ୍କ ଉପରେ ଖବର ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ସନ କମିଶନ ଅଫ ଇଣ୍ଡିଆର ଭୋଟର ତାଲିକାକୁ ଆମେ ଗ୍ରହଣ କରିଛୁ । ସେହି ତାଲିକା ଅନୁସାରେ ହିଁ ଭୋଟିଂ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।