ନୀଳଗିରି ବ୍ଲକ ଦଖଲ ନେଇ ଛକାପଞ୍ଜା : ଅଜ୍ଞାତବାସରେ ସମିତିସଭ୍ୟ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରସ୍ତୁତି । ଆସନ୍ତା ୧୨ ତାରିଖରେ ହେବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ଆରମ୍ଭ ହୋଇଛି ଅଧ୍ୟକ୍ଷ ପଦ ପାଇଁ ଛକାପଞ୍ଝା । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଗତଥର ଭାଜପା ହାତେଇଥିଲା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୀଳଗିରି ଅଧ୍ୟକ୍ଷ ପଦ ପାଇଁ ବିଜେଡି କସରତକୁ ଜୋରଦାର କରିଛି । ତେବେ ଶାସକ ଦଳର ଅଧିକ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ କ୍ରସଭୋଟିଂ ଓ ଘୋଡ଼ା ବେପାର ହେବାର ଭୟ ଡରାଉଛି । କାରଣ ପୂର୍ବ ଦିନରେ ଅଧ୍ୟକ୍ଷ ପଦ ପାଇଁ ସଂଖ୍ୟା ଗଣିତରେ ଆଗରେ ଥିବା ବେଳେ କ୍ରସଭୋଟିଂ ଯୋଗୁଁ ହାରିଥିବାର ଘଟଣା ବିଜେଡିର ମୁଣ୍ଡବ୍ୟଥାର କାରଣ ହୋଇଛି ।
ନୀଳଗିରି ପଞ୍ଚାୟତ ସମିତି ୨୫ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ନୀଳଗିରି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଦୁଇ ପ୍ରମୁଖ ଦଳ ଭାଜପା ଓ ବିଜେଡି ମଦ୍ଧରେ ଛକାପଞ୍ଛା ଚାଲିଛି । ବ୍ଲକର ଅଧ୍ୟକ୍ଷା ପାଇଁ ୧୩ ଜଣଙ୍କ ସଭ୍ୟ ପ୍ରାର୍ଥୀ ଆବଶ୍ୟକ ରହିଥିବା ବେଳେ ଭାଜପା ପାଖରେ ୧୧, ବିଜେଡି ପାଖରେ ୧୩ ଓ ଜଣେ ସ୍ୱାଧୀନ ପ୍ରାର୍ଥୀରେ ସୀମିତ ରହିଛନ୍ତି । ତେବେ କିଏ ହାତେଇବ ବ୍ଲକ ଅଧ୍ୟକ୍ଷ ପଦ ଓ ଅଙ୍କ ଗଣିତରେ ବିଜେଡି ଆଗରେ ଥିବାରୁ ଦଳ ପକ୍ଷରୁ ମଧ୍ୟ ବ୍ଲକ ଅଧ୍ୟକ୍ଷ ପାଇଁ କସରତକୁ ଜୋରଦାର କରିଛି । ହେଲେ ଦୁଇ ପ୍ରମୁଖ ଦଳ ବିଜେଡି ଓ ଭାଜପା ବିଦ୍ରୋହୀଙ୍କ ଭୟରେ ପାଦେ ପାଦେ ମାପି ବାଟ ଚାଲୁଛନ୍ତି । କାରଣ ଅଧ୍ୟକ୍ଷ ନାମ ଘୋଷଣା ହେଲେ କାଳେ ଅସନ୍ତୁଷ୍ଟ ଅନ୍ୟ ଦଳକୁ ଡେଇଁ ବିଦ୍ରୋହୀ ସାଜିବେ ସେ ନେଇ ଭୟରେ ବିଜେଡି କିମ୍ବା ଭାଜପା ସର୍ବସାଧାରଣରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ଦୁଇଦଳର ସମିତି ସଭ୍ୟମାନେ ଅଜ୍ଞାତବାସରେ ଅଛନ୍ତି । ଅଜ୍ଞାତବାସରେ ଥିଲେ ମଧ୍ୟ କ୍ରସଭୋଟିଂକୁ ଏଡାଇ ଦେଇ ହେବ ନାହିଁ । ଏଥିପାଇଁ ସମସ୍ତେ ଚୁପଚାପ ଶେଷଦିନରେ ହିଁ ସୃଷ୍ଟି ହେବ, କିଏ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ । ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ପାଇଁ କୌଣସି ନାମ ଘୋଷଣା କରି ନଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ବାସସ୍ଥାନ ଭଉଁରିଆବାଡ଼ ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ଶୁଭଲକ୍ଷ୍ମୀ ମାଝୀଙ୍କ ନାମ ଅଗ୍ରଣୀ ଭୂମିକାରେ ରହିଥିବାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ସବୁପରେ ଆସନ୍ତା ୧୨ ତାରିଖରେ ଚିତ୍ର ସ୍ପଷ୍ଟ ହୋଇଯିବ । ସୂଚନା ଯେ, ନୀଳଗିରି ବ୍ଲକର ଅଧ୍ୟକ୍ଷ ଆସନ ଆଦିବାସୀ ପ୍ରାର୍ଥୀନୀଙ୍କ ପାଇଁ ସଂରକ୍ଷିତ ରହିଛି ।