୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

- ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
- ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମର ସଫଳତାରେ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି । ଏହାଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ଏହା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ। ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଚତୁର୍ଥ ସ୍ତରକୁ ପଦୋନ୍ନତି ପାଇବେ। ସେହିପରି ଚତୁର୍ଥ ସ୍ତରରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ତୃତୀୟ ସ୍ତରକୁ ପଦୋନ୍ନତି ପାଇବେ। ୫(ବି) ସ୍ତରରେ ଥିବା ସହକାରୀ ଶିକ୍ଷକ ମାନଙ୍କ ପାଇଁ ରେସିଡେନ୍ସି ପିରିଅଡ୍କୁ ଏକ ବର୍ଷରୁ ୬ ମାସକୁ ହ୍ରାସ କରାଯାଇଥିବା ବେଳେ ଚତୁର୍ଥ ସ୍ତରରୁ ତୃତୀୟ ସ୍ତରକୁ ପଦୋନ୍ନତି ପାଇଁ ରେସିଡେନ୍ସି ପିରିଅଡ୍ ସୀମାକୁ ୨ ବର୍ଷରୁ ୧ ବର୍ଷ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସୂଚନା ଯେ, ୨୦୧୯ରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଚତୁର୍ଥ ସ୍ତରରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ତୃତୀୟ ସ୍ତରରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା ।