ଆଧୁନିକ ଯୁଗରେ ଅନ୍ଧବିଶ୍ବାସ! ଡାହାଣୀ ସନ୍ଦେହରେ ୩ ମହିଳାଙ୍କୁ ପିଟିପିଟି ହତ୍ୟା
ରାଞ୍ଚି : ଆଧୁନିକ ଯୁଗରେ ମଧ୍ୟ ଲୁଚି ରହିଛି ଅନ୍ଧବିଶ୍ବାସ । ଏହି ପରିପ୍ରେକ୍ଷୀରେ ଝାଡ଼ଖଣ୍ଡ ରାଞ୍ଚିର ରାଣାଡିହ ଗ୍ରାମରେ ଡାହାଣୀ ସନ୍ଦେହରେ ୩ ଜଣ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ହତ୍ୟାକାଣ୍ଡରେ ମୃତ ମହିଳାଙ୍କ ପୁଅ ଏବଂ ସ୍ବାମୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ପୋଲିସ ପଚରାଉଚରା କରୁଛି ।
ସୂଚନା ଯେ, ଗ୍ରାମର ଏକ ବିଦ୍ୟାଳୟ ଛାତ୍ରକୁ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା କରାଇଥିଲେ । ଏହି ସମୟରେ ଉକ୍ତ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଗ୍ରାମରେ ଡାହାଣୀ ବୁଲୁଥିବା ଚାରିଆଡେ ପ୍ରଚାର ହେଲା । ଗ୍ରାମର ଆଉ ଜଣଙ୍କ ପୁଅକୁ ମଧ୍ୟ ସାପ କାମୁଡ଼ିଥିଲା । ସୌଭାଗ୍ୟ ବସତଃ ଚିକିତ୍ସା ବଳରେ ସେ ସୁସ୍ଥ ହୋଇଗଲେ । କିନ୍ତୁ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରେ ବୈଠକ ହୋଇ ତିନି ମହିଳାଙ୍କୁ ଡାହାଣୀ ବୋଲି ଦୋଷୀ ସାବ୍ୟସ୍ତ କରାଗଲା । ଏହାପରେ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଉକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳେ ଗ୍ରାମଲୋକେ ଅଟକାଇଥିଲେ । ଦ୍ବିତୀୟ ଥର ପାଇଁ ପୋଲିସ ଯିବା ସମୟରେ ଗ୍ରାମର କୌଣସି ଯୁବକ ନଥିଲେ ଏବଂ ମହିଳାମାନେ କିଛି କହିବାକୁ ମନା କରିଥିଲେ ।