ପ୍ରକାଶ ପାଇଲା +୨ ପରୀକ୍ଷା ଫଳ

- ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟ ୯୪.୯୬% ପାସ
ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଶନିବାର ସନ୍ଧ୍ୟାରେ ଏହି ଫଳାଫଳ ଘୋଷଣା କରାଯାଇଛି । ପରୀକ୍ଷା ଫଳ ପ୍ରକାଶ କଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯୁକ୍ତ ୨ ବିଜ୍ଞାନରେ ୯୫.୧୫%ତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୯୪.୯୬% । ଏଥିରେ ଫାଷ୍ଟ ଡିଭିଜନରେ ୫୫ ହଜାର ୪୬୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବାଣିଜ୍ୟ ବିଷୟରେ ୨୪ ହଜାର ୫୨୬ ଜଣ ପିଲାଙ୍କ ମଧ୍ୟରୁ ୯୪ ପ୍ରତିଶତ ପିଲା ପାସ କରିଛନ୍ତି । ଛାତ୍ରଛାତ୍ରୀମାନେ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ ।
ବିଜ୍ଞାନ ବିଭାଗରେ ମୋଟ ୯୪,୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୮୯,୯୫୧ ଜଣ ଛାତ୍ରଛାତ୍ରୀ । ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୫,୪୬୮ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୯,୮୫୨ ଏବଂ ତୃତୀୟ ଶ୍ରେଣୀରେ ୧୪,୬୩୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ବାଣିଜ୍ୟରେ ମୋଟ ୨୪,୫୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୨୩,୨୯୨ ଜଣ । ପ୍ରଥମ ଶ୍ରେଣୀରେ ୮୩୫୫, ଦ୍ୱିତୀୟ ଶ୍ରେଶୀରେ ୫୬୯୨ ଜଣ ଏବଂ ତୃତୀୟ ଶ୍ରେଣୀରେ ୯୦୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ । ଏହା ସହିତ ଆଉ କିଛି ଦିନ ମଧ୍ୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।