ସେପ୍ଟେମ୍ବର ୧୦ରୁ ପିତୃପକ୍ଷ ! ଜାଣନ୍ତୁ କାହିଁକି ଦିଆଯାଏ ଶ୍ରାଦ୍ଧ?
ଆସନ୍ତା ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ପିତୃପକ୍ଷ । ପିତୃପକ୍ଷ ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପିତୃମୋକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ୧୫ ଦିନରେ ଲୋକେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦାନ କରିଥାନ୍ତି। କୁହା ଯାଏ ଏହି ସମୟରେ ଦିବଙ୍ଗତ ପୂର୍ବଜମାନ ସୁକ୍ଷ୍ମ ଶରୀରରେ ଧରାବତରଣ କରିଥାନ୍ତି। ଏଣୁ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଲୋକେ ପୂର୍ବଜଙ୍କୁ ଶ୍ରାଦ୍ଧ, ତର୍ପଣ ଓ ଦାନ ପୂଣ୍ୟ ଆଦି କରିଥାନ୍ତି।
ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମରେ ପିତୃପକ୍ଷର ବହୁତ ଗୁରୁତ୍ବପୂର୍ଣ୍ଣ ରହିଛି। ପିତୃପକ୍ଷ ଅବସରରେ ପିତୃପୁରୁଷଙ୍କ ମୁକ୍ତି ପାଇଁ କାମ କରାଯାଇଥାଏ। ପିତୃପକ୍ଷରେ ପୂର୍ବଜଙ୍କ ଠାରୁ ଆଶୀର୍ବାଦ ନିଆଯାଇଥାଏ ଏବଂ ଭୁଲ ପାଇଁ କ୍ଷମା ମଗାଯାଇଥାଏ। ଏହି ସମୟରେ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରାଯାଇଥାଏ ଏବଂ ସେମାନଙ୍କର ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷର ପୂର୍ଣ୍ଣିମା ପରଦିନ ଠାରୁ ଆରମ୍ଭ ହୋଇଥାଏ।
ହିନ୍ଦୁ ଶାସ୍ତ୍ରରେ ପିଆଜ ଓ ରସୁଣକୁ ’ତାମସିକ’ କୁହାଯାଇଥାଏ। ଏହା ଆମର ଇନ୍ଦ୍ରିୟକୁ ପ୍ରଭାବିତ କରିଥାଏ। ପିତୃପକ୍ଷ ସମୟରେ ଏହି ଖାଦ୍ୟକୁ ଗ୍ରହଣ କରା ନ ଗଲେ ଭଲ। ଏହି ସମୟରେ କୌଣସି ଉତ୍ସାହ ଅଥବା ଉତ୍ସବ ପାଳନ କରାଯିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କର ପୂର୍ବପୂରୁଷଙ୍କ ପ୍ରତି ଶ୍ରଦ୍ଧାରେ ପ୍ରଭାବିତ ହୋଇଥାଏ। ପିତୃପକ୍ଷକୁ ଅଶୁଭ ବୋଲି ମଧ୍ୟ କୁହାଯାଇଥାଏ। ତେଣୁ କୌଣସି ନୂଆ କାମ ଆରମ୍ଭ କରାଯାଇ ନଥାଏ। ଏହି ସମୟରେ ପରିବାର ସହିତ କୌଣସି ନୂଆ ଜିନିଷ କିଣିବା କଥା ନୁହେଁ। ପିତୃପକ୍ଷ ସମୟରେ ନଖ, କେଶ ଓ ନିଶ କାଟିବା ମନା।
ସାରା ଦେଶରେ ହିନ୍ଦୁଧର୍ମାବଲମ୍ବୀ ସେମାନଙ୍କ ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧଦେବେ। କେହି କେହି ପିତରଙ୍କ ପ୍ରିତ୍ୟାର୍ଥେ ଗୟାରେ ବି ପିଣ୍ଡଦନ କରିବେ। ଏଥିପାଇଁ ସାରା ଦେଶରେ ଯାତ୍ରୀଙ୍କ ଆବାଗମନ ଆରମ୍ଭ ହୋଇଯିବ। ବାହାରେ ରହୁଥିବା ଲୋକେ ପିତୃପକ୍ଷ ଶ୍ରାଦ୍ଧ ଲାଗି ଘରକୁ ଫେରିବେ। ତେବେ ପିତୃପକ୍ଷ ଶ୍ରାଦ୍ଧ ଆଜି କାଲିର ନୁହେଁ କେଉଁ ଆବାହମାନ ଯୁଗରୁ ଲୋକେ ସେମାନଙ୍କ ପିତରଙ୍କୁ ଶ୍ରାଦ୍ଧ ଦାନ କରିଆସୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଶ୍ରାଦ୍ଧରେ ଲୋକେ କାହାକୁ ଦେଇଥାନ୍ତି ଶ୍ରାଦ୍ଧ ।
ବ୍ୟକ୍ତିଙ୍କ ପରିବାରର ସେହି ସବୁ ସଦସ୍ୟମାନେ ଯେଉଁମାନଙ୍କର ପରଲୋକ ହୋଇସାରିଥାଏ ତାଙ୍କୁ ପିତର କୁହାଯାଏ। ଏଥିରେ ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ ଓ ଦିବଙ୍ଗତ ଶିଶୁଙ୍କୁ ଶ୍ରାଦ୍ଧ ଦିଆଯାଏ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରନ୍ତି ସେମାନେ ଅଖଣ୍ଡ ଶାନ୍ତିର ଅଧିକାରୀ ହୋଇଥାନ୍ତି। କେବଳ ସେତିକି ନୁହେଁ ସେମାନଙ୍କ ସନ୍ତୋଷରେ ଆମର ହୋଇ ପାରୁନଥିବା କାମ ବି ସହଜରେ ହୋଇଯାଏ। ସୁକ୍ଷ୍ମ ଶରୀରରେ ରହି ସେମାନେ ଆମର ସହାୟତା କରନ୍ତି। ଏଣୁ କୁହାଯାଏ ପିତୃପକ୍ଷରେ ପିଣ୍ଡଦାନ ସହ ସେମାନଙ୍କ ସନ୍ତୋଷ ନିମନ୍ତେ ଶ୍ରାଦ୍ଧ ଓ ତର୍ପଣ କରିବା ଉଚିତ। ତେବେ ଆସନ୍ତୁ ଏବେ ଜାଣିବା ପିତୃପକ୍ଷ ତିଥି କଣ।
ଭାଦ୍ରପଦ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନମାସ ଅମାବାସ୍ୟା ପର୍ଯ୍ୟନ୍ତ ୧୬ ଦିନକୁ ପିତୃପକ୍ଷ କୁହାଯାଏ। ମାସର ପ୍ରଥମ ପ୍ରତିପଦ ତିଥିରୁ ଶ୍ରାଦ୍ଧଦାନ ଆରମ୍ଭ ହୁଏ । ତେବେ ଭାଦ୍ରବ ପୂର୍ଣ୍ଣିମାରେ ବି ଶ୍ରାଦ୍ଧଦାନ କରାଯାଏ । ପରିବାରର ସେହି ସଦସ୍ୟ ଯିଏ ପୁର୍ଣ୍ଣମୀରେ ପରଲୋକ ଗମନ କରିଥାନ୍ତି ତାଙ୍କ ଲାଗି ଏହି ଦିନ ଶ୍ରାଦ୍ଧ ଦିଆଯାଏ। ଯଦି କୌଣସି କାରଣରୁ ପୂର୍ଣ୍ଣିମାରେ ଶ୍ରାଦ୍ଧଦାନ କରି ନ ହେଲା ତେବେ ପିତୃମୋକ୍ଷ ଅମାବାସ୍ୟା ଦିନ ବି ଶ୍ରାଦ୍ଧଦାନ କରାଯାଇପାରେ।
ତେବେ ଯେଉଁମାନେ ନିଜର ପିତରଙ୍କ ମୃତ୍ୟୁ ତିଥି ଭୁଲି ଯାଇଥାନ୍ତି ଓ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ କରିପାରନ୍ତି ନାହିଁ। ତେବେ ସେମାନେ ପିତୃମୋକ୍ଷ ଅମାବାସ୍ୟାରେ ଶ୍ରାଦ୍ଧଦାନ କଲେ ସେମାନଙ୍କର ଆତ୍ମ ସନ୍ତୋଷ ହୋଇଥାଏ। ଏଣୁ ଏହି ଦିନରେ ତର୍ପଣ, ଶ୍ରାଦ୍ଧଦାନ ଓ ଦାନ ଆଦି କଲେ ପିତରଙ୍କ ଆତ୍ମ ସନ୍ତୋଷ ହୁଏ ବୋଲି ଭାରତୀୟ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି।